ଚର୍ଚ୍ଚିତ ଟପରିଆ–ବାଙ୍କିବାହାଲ ରାସ୍ତାରେ କୋଇଲା ପରିବହନ ଯୋଗୁଁ ଅଚଳାବସ୍ଥା। ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯାଉଥିବା ଅଭିଯୋଗ
ସୁନ୍ଦରଗଡ଼ ( ଦେବାଶିଷ ଦାଶ )
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ଅନ୍ତର୍ଗତ ଟପରିଆ– ବାଙ୍କିବାହାଲ ରାସ୍ତା ପୁଣିଥରେ ଚର୍ଚ୍ଚାରେ। କୋଇଲା ପରିବହନ କରୁଥିବା ଭାରୀ ଟ୍ରକ୍ଗୁଡ଼ିକ ଚାରିଥାକିଆ ରାସ୍ତାରେ ତିନି ଧାଡ଼ିରେ ଛିଡ଼ା ହୋଇ ରହିଥିବାରୁ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ଫଳରେ ଯାତ୍ରୀବାହୀ ବସ୍, ଛୋଟ ଗାଡ଼ି ଓ ବାଇକ୍ ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବାରମ୍ବାର ଏଭଳି ସମସ୍ୟା ନେଇ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇ ନାହିଁ ଏପଟେ ଟପରିଆ–ବାଙ୍କିବାହାଲ ରାସ୍ତାକୁ ଛଅଥାକିଆ କରିବା କାମ ଚାଲିଥିବା କୁହାଯାଉଥିଲେ ମଧ୍ୟ, ନିର୍ମାଣ କାର୍ଯ୍ୟର ଧୀର ଗତି ଏବଂ ରାସ୍ତାର ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶା ସରକାରଙ୍କ ପକ୍ଷରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କୋଇଲା ପରିବହନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଥିବା କୁହାଯାଉଥିବା ବେଳେ, ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ ଏହି ନିର୍ଦ୍ଦେଶକୁ ପରିବହନ କମ୍ପାନୀ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ପାଳନ କରୁନାହାନ୍ତି।
ତେବେ ଏହି ଅଭିଯୋଗ ଉପରେ ସମ୍ପୃକ୍ତ ବିଭାଗ କିମ୍ବା ପ୍ରଶାସନର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ। ସାଧାରଣ ଲୋକ ତୁରନ୍ତ ପଦକ୍ଷେପ ନେଇ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।
