ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ: ସାନଖେମୁଣ୍ଡିରେ ସ୍ୱଚ୍ଛତା ଅଭିଯାନ, ପରିବେଶ ସୁରକ୍ଷା ପାଇଁ ଶପଥ ..
ସାନଖେମୁଣ୍ଡି: (ବିଜୟ କୁମାର ପ୍ରଧାନ )“ସ୍ୱଚ୍ଛ ପରିବେଶ, ସୁସ୍ଥ ଜୀବନର ମୂଳମନ୍ତ୍ର” ଏହି ବାର୍ତ୍ତାକୁ ନେଇ ପ୍ରତ୍ୟେକ ମଙ୍ଗଳବାର ପାଳିତ ହେଉଥିବା ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଅନ୍ତର୍ଗତ ମଙ୍ଗଳବାର ସାନଖେମୁଣ୍ଡି ବ୍ଲକରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି।
ଗଞ୍ଜାମ ଜିଲ୍ଲା ପ୍ରଶାସନର ଆହ୍ୱାନକ୍ରମେ ଉପଜିଲ୍ଲାପାଳ ଅବିନାଶ କୁମାର ଏବଂ ଆସିକା ସାଂସଦ ପ୍ରତିନିଧି ବିଜୟ କୁମାର ସ୍ୱାଇଁ ଙ୍କ ଉପସ୍ଥିତିରେ ଏବଂ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଡେଙ୍ଗାଉସ୍ତା, ତପ୍ତପାଣି ଓ ଆଖପାଖ ଅଞ୍ଚଳରେ ସଫେଇ ଅଭିଯାନ ସହ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଅଭିଯାନରେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ ଓ ସ୍ଥାନୀୟ ବାସିନ୍ଦାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ରାସ୍ତାଘାଟ, ବିଦ୍ୟାଳୟ ପରିସର ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ସଫା କରିଥିଲେ। ସେହିପରି ସ୍ୱଚ୍ଛତା ବଜାୟ ରଖିବା, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର କମାଇବା ଓ ପରିବେଶକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା।
‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ମାଧ୍ୟମରେ ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରି ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ଗଞ୍ଜାମ ଗଠନ କରିବା ଦିଗରେ ଜନସାଧାରଣଙ୍କ ସହଭାଗିତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
