ହୋ ଭକତେ…..
ବୋଲଗଡ଼,୨୨/୭(ଉପାନ୍ତ ଖବର): ହୋ ଭକତେ.. ରସିକ ନାଗର ମୋହିନୀରଙ୍କା, ବାଙ୍କ ଚାହାଣୀ ତା ଚୂଳ ବଙ୍କା, ପୀରତି କରିବ ଦେଖିଲେ ଏକା ହୋ ଭକତେ…
କେଉଁ ଆବାହନ କାଳରୁ ରଥଯାତ୍ରା ସମୟରେ ଗୁଣ୍ଡିଚା ଯାତ୍ରାର ପୂର୍ବ ଦିନରୁ ରଥଖଳାରରୁ ସିଂହଦ୍ବାରକୁ ରଥ ଆଣିବା ଓ ଗୁଣ୍ଡିଚା ଦିନ ଓ ବାହୁଡ଼ା ଦିନ ରଥକୁ ଟାଣିବା ସମୟରେ ରଥ ଉପରେ ରହି ଦୁଇ ହାତରେ ବେତ ହଲାଇ ରଥକୁ ଆଗକୁ ଟାଣିବା ପାଇଁ ଭକ୍ତଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରଥ ଉପରେ ବସି ଗାନ କରାଯାଉଥିବା ପାରମ୍ପରିକ ପଦ୍ୟାବଳୀକୁ ‘ଡାହୁକ ଗୀତ’ ବା ‘ଡାହୁକ ବୋଲି’ କୁହାଯାଏ। ଏହି ଗୀତଗୁଡ଼ିକ ଢଗଢମାଳି ଏବଂ ରସପୂର୍ଣ୍ଣ ହୋଇଥାଏ ପୌରଣିକ ବିଶ୍ୱାସ ଅନୁଯାୟୀ ରଥଯାତ୍ରା ସମୟରେ ଡାହୁକମାନଙ୍କୁ ରଥର ସାରଥୀ କିମ୍ବା ‘କାଳେସୀ’ ଭାବରେ ଗ୍ରହଣ କରାଯାଏ। ପୁରୁଣା ପରମ୍ପରା ଅନୁଯାୟୀ, ଡାହୁକ ଡାକ ନ ଦେଲେ ରଥ ଗଡ଼ିନଥାଏ ବୋଲି ବିଶ୍ୱାସ ରହିଛି। ରଥଟଣା ଅତ୍ୟନ୍ତ କଷ୍ଟକର ହୋଇଥିବାରୁ, ଡାହୁକମାନେ ନିଜର ରସାତ୍ମକ ଗୀତ, ଢଗଢମାଳି ମାଧ୍ୟମରେ ଭକ୍ତଙ୍କ ମନରେ ନୂତନ ଶକ୍ତି ଏବଂ ଉତ୍ସାହ ସୃଷ୍ଟି କରିଥାନ୍ତି।
ପୂର୍ବରୁ ଏହି ଗୀତଗୁଡ଼ିକ ଅଧିକ ରସାତ୍ମକ ଏବଂ ବେଳେବେଳେ ପ୍ରାକୃତିକ ଶୃଙ୍ଗାରିକ ବା ଅଶ୍ଳୀଳ ଶବ୍ଦାବଳୀରେ ପୂର୍ଣ୍ଣ ଥିଲା। କିନ୍ତୁ ଆଧୁନିକ ସମୟରେ ଏଥିରେ ପରିବର୍ତ୍ତନ ଆସିଛି ଏବଂ ଏହା ଅଧିକ ଭକ୍ତିରସାତ୍ମକ ଏବଂ ଶୃଙ୍ଖଳିତ ହୋଇପାରିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
