July 29, 2026

ବୁଗୁଡ଼ାରେ ପୁଣି ସକ୍ରିୟ ହେଲେ ସାଇକେଲ ଓ ବାଇକ ଚୋର 

IMG-20260722-WA0054
Share

 

ବୁଗୁଡ଼ା : ତା ୨୨/୦୭/୨୬ : ବୁଗୁଡ଼ା ଥାନା ଅଞ୍ଚଳରେ ପୁଣି ମାତିଲେ ସାଇକଲ ଓ ବାଇକ ଚୋର l ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ସକ୍ରିୟ ଥିବା ସାଇକେଲ ଚୋରଙ୍କ ଅଭିଯାନ ଏବେ ସହରାଞ୍ଚଳରେ ବୃଦ୍ଧି ପାଇଛି । ଗତ ସୋମବାର ସନ୍ଧ୍ୟା ସମୟରେ ମେଡିକାଲ ଛକ ନିକଟରୁ ଏକ ସାଇକଲ ଚୋରି ହୋଇଯାଇଛି l ଭାମଶ୍ୟାଳି କରଣସାହିର ସୀମା ନାହାକ ବୁଗୁଡ଼ା ମେଡିକାଲ ଛକରେ ରହୁଥିବା ଜଣଙ୍କ ଘରକୁ ଆସିଥିଲେ l ସେ ଘର ବାହାରେ ସାଇକଲ ରଖି ଘର ଭିତରକୁ ଯାଇ ୫ ମିନିଟ ପରେ ବାହାରକୁ ଆସି ଦେଖିଲା ବେଳକୁ ତାଙ୍କ ସାଇକଲ ଆଉ ନଥିଲା l ଚୋରିର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଏବଂ ଏହାକୁ ସୋସିଆଲ ମିଡ଼ିଆରେ ଭାଇରଲ କରାଯାଇଥିଲେ ହେଁ ଏଯାଏଁ ଚୋର ଧରା ପଡିନି l ବୁଗୁଡା ସହରର ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କୋଚିଂ ସେଣ୍ଟର ଆଦି ସ୍ଥାନରୁ ଅନେକ ସାଇକେଲ ଚୋରି ହୋଇଥିଲା ବେଳେ ଏଇ କିଛି ମାସ ତଳେ କାଦପଡା ଗ୍ରାମର +୨ ଛାତ୍ରୀ ସପନା ସ୍ବାଇଁଙ୍କ ସାଇକେଲ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏବଂ ଗୋଳାବନ୍ଧ ଗ୍ରାମର ପିଙ୍କି ଭୂୟାଁଙ୍କ ସାଇକେଲ ବ୍ଲକ ଛକରୁ,କଣଛାଇ ଗ୍ରାମର ଶିବାନୀ ବିଷୋୟୀଙ୍କ ସାଇକେଲ ବୁଗୁଡା ବଜାରରୁ ଚୋରି ହୋଇଯାଇଥିବା ବେଳେ ନାରାୟଣ ଜେନାଙ୍କ ସାଇକେଲଟି ଏକ ଡ୍ରାଇଫୁଡ୍ ଦୋକାନ ସମ୍ମୁଖରୁ ଚୋରି ହୋଇଯାଇଥିବା ଜଣା ପଡିଛି l ଅନ୍ୟପକ୍ଷରେ ନିରଞ୍ଜନ ମହାରଣାଙ୍କ ବୁଲେଟ୍ ଗାଡିଟି ନୃସିଂହ ମନ୍ଦିର ସାହିରୁ ତାଙ୍କର ଶଶୁର ଘର ସାମ୍ନାରୁ ତଳଦିନେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସର ଅପାରଗତାରୁ ବୁଗୁଡା ସହରରେ ସାଇକେଲ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କେତେକ ସାଇକେଲ ଚୋରି ଘଟଣାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ ରହିଥିଲେ ମଧ୍ଯ ଚୋରକୁ ଧରିବା ପାଇଁ ପୋଲିସ ତତ୍ପରତା ଦେଖାଉ ନଥିବା ସାଧାରଣରେ ଆଲୋଚନା ହେଉଛି । ସଂପ୍ରତି ସହରରେ ସାଇକେଲ ଚୋରଙ୍କ ସକ୍ରିୟତା ଏବଂ ପୋଲିସର ନିଷ୍କ୍ରିୟତା ଯୋଗୁଁ ଲୋକଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ତେବେ ବୁଗୁଡା ଅଞ୍ଚଳରେ ଜାରି ରହିଥିବା ଏଭଳି ଘନ ଘନ ସାଇକେଲ ଚୋରି ଭଳି ଅପରାଧିକ ଘଟଣାକୁ ପ୍ରତିହତ କରିବା ଦିଗରେ ପୋଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି