ଗଡ଼ାଧୀଶ ଦଳବେହେରା ମହାସଂଘର ନୂଆ ଟିମ୍ ୬ ଉପଦେଷ୍ଟାଙ୍କ ସହ ୨୦ ଜଣିଆ କମିଟି ଗଠନ
ଖୋର୍ଦ୍ଧା, ( ପ୍ରିୟଙ୍କା ମହାପାତ୍ର): ଗଡ଼ାଧୀଶ ଦଳବେହେରା ମହାସଂଘର ସାଂଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ଓ ସୁସଂଗଠିତ ଢଙ୍ଗରେ ପରିଚାଳନା କରିବା ଲକ୍ଷ୍ୟରେ ନୂଆ କର୍ମକର୍ତ୍ତା ଚୟନ କରାଯାଇଛି। ମହାସଂଘର ତୃତୀୟ ଅଧିବେଶନରେ ସାଂଗଠନିକ କାର୍ଯ୍ୟଧାରା, ଦାୟିତ୍ୱ ବଣ୍ଟନ, ଭବିଷ୍ୟତ କାର୍ଯ୍ୟପନ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ବିସ୍ତୃତ ଆଲୋଚନା ପରେ ନୂଆ କମିଟି ଗଠନ ହୋଇଛି।ଅଧିବେଶନରେ ପୂର୍ବ ବୈଠକରେ ଗୃହୀତ ପ୍ରସ୍ତାବ ଓ ନିଷ୍ପତ୍ତିଗୁଡ଼ିକର ସମୀକ୍ଷା କରାଯିବା ସହ ଆବଶ୍ୟକ ସଂଶୋଧନ ଉପରେ ସଦସ୍ୟମାନେ ମତ ରଖିଥିଲେ। ମହାସଂଘର ଆଗାମୀ କାର୍ଯ୍ୟକ୍ରମକୁ ଅଧିକ ଦାୟିତ୍ୱଶୀଳ ଓ ଶୃଙ୍ଖଳିତ ଭାବେ ଆଗେଇ ନେବା ପାଇଁ ଅନେକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।ସଂଘର ନୀତି ନିର୍ଦ୍ଧାରଣ ଓ ସାଂଗଠନିକ କାର୍ଯ୍ୟଧାରାକୁ ଦିଗ୍ଦର୍ଶନ ଦେବା ପାଇଁ ୬ ଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ଉପଦେଷ୍ଟା ଭାବେ କୃଷ୍ଣଚନ୍ଦ୍ର ହରିଚନ୍ଦନ, ସତ୍ୟବାଦୀ ବଳିୟାରସିଂହ, ଡ. ହେମନ୍ତ ଛୋଟରାୟ, ଦେବୀ ପ୍ରସାଦ ସାମନ୍ତରାୟ, ଡ. ପ୍ରସନ୍ନ କୁମାର ପାଇକରାୟ ଓ ସୌଦାମିନୀ ପାଇକରାୟଙ୍କୁ ମନୋନୀତ କରାଯାଇଛି।
ଏଥିସହ ମହାସଂଘର ଦୈନନ୍ଦିନ ସାଂଗଠନିକ କାର୍ଯ୍ୟ ଓ ବିଭିନ୍ନ ଦାୟିତ୍ୱର ସୁଚାରୁ ପରିଚାଳନା ପାଇଁ ୨୦ ଜଣିଆ ପରିଚାଳନା ଓ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏଥିରେ ସଭାପତି, କାର୍ଯ୍ୟକାରୀ ସଭାପତି, ଦୁଇ ଉପସଭାପତି, ସମ୍ପାଦକ, ସହସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ସମେତ ୧୩ ଜଣ କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି।
ସର୍ବସମ୍ମତିକ୍ରମେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଭାପତି, ଅଜୟ କୁମାର ମାନ୍ଧାତା କାର୍ଯ୍ୟକାରୀ ସଭାପତି, ସୌମ୍ୟରଞ୍ଜନ ହରିଚନ୍ଦନ ଓ ପାର୍ଥସାରଥୀ ମତଗଜସିଂହ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସେହିପରି ସୌକତ ରଞ୍ଜନ ମାଲବିହାର ସମ୍ପାଦକ, ମନ୍ମଥ କୁମାର ବିଧାର ସହସମ୍ପାଦକ ଏବଂ ସଦାଶିବ ମଙ୍ଗରାଜ କୋଷାଧ୍ୟକ୍ଷ ଦାୟିତ୍ୱ ପାଇଛନ୍ତି।
କାର୍ଯ୍ୟକାରୀ ସଦସ୍ୟ ଭାବେ ଅଜୟ କୁମାର ଦଳବେହେରା, ଶ୍ରୀକାନ୍ତ କୁମାର ଜଗଦ୍ଦେବ, ଜ୍ଞାନରଞ୍ଜନ ରାୟପ୍ରିତମ, ପ୍ରଶାନ୍ତ କୁମାର ଦଳବେହେରା, କୃଷ୍ଣଚନ୍ଦ୍ର ଉଦୟସିଂହ, ସନ୍ତୋଷ ବାହୁବଳେନ୍ଦ୍ର, ସମରେନ୍ଦ୍ର କୁମାର ବୀରବର ହରିଚନ୍ଦନ, ଦୁର୍ଗାଚରଣ ହରିଚନ୍ଦନ, ବିକାଶ କୁମାର ରାୟ, ନିରଞ୍ଜନ ପଶ୍ଚିମ କବାଟ, ପ୍ରଭାତ କୁମାର ଦଳବେହେରା, ସୁବ୍ରତ କୁମାର ମାନ୍ଧାତା ଓ ଅଖିଳେଶ ସିଂ ମନୋନୀତ ହୋଇଛନ୍ତି।ନୂଆ କର୍ମକର୍ତ୍ତା ଚୟନକୁ ମହାସଂଘର ସଦସ୍ୟମାନେ ସ୍ୱାଗତ କରିଛନ୍ତି। ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସଦସ୍ୟମାନଙ୍କ ମଧ୍ୟରେ ଏକତା, ସହଯୋଗ ଓ ସମନ୍ୱୟ ରହିବା ଆବଶ୍ୟକ ବୋଲି ଅଧିବେଶନରେ ମତ ପ୍ରକାଶ ପାଇଥିଲା। ନୂଆ ଦାୟିତ୍ୱ ପାଇଥିବା କର୍ମକର୍ତ୍ତାମାନେ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରି ସଂଘର କାର୍ଯ୍ୟଧାରାକୁ ଆହୁରି ଗତିଶୀଳ କରିବେ ବୋଲି ଆଶା ପ୍ରକାଶ କରାଯାଇଛି।
ଆଗାମୀ ଦିନରେ ମହାସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ଅଧିକ ସକ୍ରିୟ କରିବା, ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ସାଂଗଠନିକ ଶୃଙ୍ଖଳାକୁ ମଜଭୁତ କରିବା ଉପରେ ଅଧିବେଶନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସର୍ବସମ୍ମତିରେ ଗଠିତ ନୂଆ କମିଟି ମହାସଂଘର ଭବିଷ୍ୟତ କାର୍ଯ୍ୟଧାରାକୁ ଏକ ନୂଆ ଦିଗ ଦେବ ବୋଲି ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି
