November 14, 2026

ଶାସଙ୍ଗ ହାଇସ୍କୁଲରେ ଉତ୍ସାହର ସହ ପାଳିତ ହେଲା ଶିଶୁ ଦିବସ

IMG-20261114-WA0103
Share

ହାଟଡିହି ତା ୧୪/୧୧(ମନମୋହନ ନାୟକ) : ହାଟଡିହି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଶାସଙ୍ଗରେ ଆନନ୍ଦ ଓ ଉତ୍ସାହର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ନିୟମିତ ଶିକ୍ଷାଦାନ ପରେ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଶ୍ରଦ୍ଧା ଓ ସ୍ନେହର ସହ କଲମ ଓ ମିଠା ବଣ୍ଟନ କରାଯାଇଥିଲା। ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନାତନ ଓଝା, ନବକିଶୋର ବିଶ୍ୱାଳ, ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ନାୟକ, ବରିଷ୍ଠ ଶିକ୍ଷକ ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର ଓ ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ଶିଶୁମାନଙ୍କ ଭୂମିକା ଏବଂ ଶିକ୍ଷା, ସଂସ୍କାର ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦେବାଦେବୀଙ୍କ ସଦୃଶ ହୋଇଥିବାବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପାସକଙ୍କ ଭଳି ନିଜ କର୍ତ୍ତବ୍ୟ ନିର୍ବାହ କରିଥାନ୍ତି ବୋଲି ଶିକ୍ଷାବିତ୍ ସନାତନ ଓଝା ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ।ଶିଶୁ ଦିବସ ଅବସରରେ ଚାଚା ନେହେରୁଙ୍କ ଜୀବନଦର୍ଶନ ଉପରେ ଆଧାରିତ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶୁଭସ୍ମିତା ସାହୁ ପ୍ରଥମ, ସାଇ ସନ୍ତୋଷି ଜେନା ଦ୍ୱିତୀୟ ଏବଂ ସ୍ୱସ୍ତିକା ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମକୁ ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ, ରମେଶ ଚନ୍ଦ୍ର ନାୟକ, ପାର ସ୍ୱାଇଁ, କନକ ସାହୁ, ସନ୍ତୋଷିନୀ ମଣ୍ଡଳ ଓ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଶିଶୁମାନଙ୍କ ମଧ୍ୟରେ ଶିକ୍ଷା, ସଂସ୍କାର ଓ ସୃଜନଶୀଳତାର ବିକାଶ ହିଁ ଶିଶୁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି ଉତ୍ସବରୁ ବାର୍ତ୍ତା ମିଳିଥିଲା।