ବିଶ୍ୱବିଦ୍ୟାଳୟ ପରାମର୍ଶ କେନ୍ଦ୍ର ପକ୍ଷରୁ ପରାମର୍ଶ ଅଧିବେଶନ

ସମ୍ବଲପୁର, ୨୯ ଜୁଲାଇ୨୦୨୬: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ‘ବିଶ୍ୱବିଦ୍ୟାଳୟ ପରାମର୍ଶ କେନ୍ଦ୍ର’ପକ୍ଷରୁ ଆଜି ଅପରାହ୍ନ ୩ଟାରେ ଏକ ପରାମର୍ଶ ଅଧିବେଶନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସଂଯୋଜିକା ଡଃ ସଞ୍ଜୁକ୍ତା ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ସ୍ନାତକୋତ୍ତର ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ପାର୍ଥସାରଥୀ ମଲିକ୍, ବିଶ୍ୱବିଦ୍ୟାଳୟର ଅନେକ ଅଧ୍ୟାପକ-ଅଧ୍ୟାପିକା, ଛାତ୍ର -ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
ଏହି ଅବସରରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଅଜିତ କୁମାର ମହାନ୍ତି, କ୍ଲିନିକାଲ ସାଇକୋଲୋଜିଷ୍ଟ ଆକାଂକ୍ଷା ମିଶ୍ର ଏବଂ ଶ୍ରୀମତୀ ରିଷୁ ଶର୍ମା ମୁଖ୍ୟ ଅତିଥି (Resource Persons) ଭାବେ ଯୋଗଦେଇଥିଲେ।
ବକ୍ତାମାନେ ମାନସିକ ସ୍ୱାସ୍ଥ୍ୟ, ଭାବନାତ୍ମକ ସୁସ୍ଥତା, ଚାପ ପରିଚାଳନା, ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଜୀବନର ବିଭିନ୍ନ ସମସ୍ୟାକୁ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ସାମ୍ନା କରିବାର ଉପାୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନଙ୍କର ସରଳ, ପ୍ରାଞ୍ଜଳ ଏବଂ ଅନୁଭବସମୃଦ୍ଧ ଉପସ୍ଥାପନା ଉପସ୍ଥିତ ଶ୍ରୋତାମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଅଂଶଗ୍ରହଣକାରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେମାନେ ବିଭିନ୍ନ ବ୍ୟବହାରିକ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମଟି ଅତ୍ୟନ୍ତ ଆକର୍ଷଣୀୟ, ତଥ୍ୟସମୃଦ୍ଧ ଓ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ହୋଇଥିବାବେଳେ ଉପସ୍ଥିତ ସମସ୍ତେ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ଉପସ୍ଥିତମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
