ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତ ଅଧୀନ ପେଟାଖାଲ ଗ୍ରାମରେ ରାସ୍ତା ଅଭାବ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତା ପୁଣିଥରେ ସାମ୍ନାକୁ ଆସିଛି।
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତ ଅଧୀନ ପେଟାଖାଲ ଗ୍ରାମରେ ରାସ୍ତା ଅଭାବ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତା ପୁଣିଥରେ ସାମ୍ନାକୁ ଆସିଛି। ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ପ୍ରାୟ ୩ ରୁ ୪ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ଗାଁକୁ ନେବାକୁ ପଡ଼ିଥିଲା। ସେବତୀ ନାରେଙ୍ଗାକା ପ୍ରସବ ପାଇଁ ପ୍ରାୟ ୧୫ ଦିନ ଧରି ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମା’ ଗୃହରେ ରହୁଥିଲେ। ଗତ ୨୬ ତାରିଖ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରାଯାଇଥିଲା। କିନ୍ତୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ନବଜାତ ଶିଶୁ ମଧ୍ୟ ବଞ୍ଚିପାରି ନଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗୁଡ଼ାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ଜଟିଳ ପ୍ରସବ ହେଲେ ରୋଗୀଙ୍କୁ ଗୁଣୁପୁରକୁ ରେଫର କରାଯାଉଛି। ଠିକ୍ ସମୟରେ ଚିକିତ୍ସା ମିଳିଲେ ଜୀବନ ବଞ୍ଚିବାର ସମ୍ଭାବନା ଥାଏ, ନଚେତ ଏଭଳି ଦୁଃଖଦ ପରିଣତି ଘଟୁଛି। ଗୁଣୁପୁରରୁ ଆମ୍ବୁଲାନ୍ସରେ ମୃତଦେହକୁ ହେଣ୍ଡେଡ଼େପା ଆର୍.ଡି. ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା। କିନ୍ତୁ ପେଟାଖାଲ ଗ୍ରାମକୁ ସଡ଼କ ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଫଳରେ ପରିବାର ଲୋକ ଓ ଗ୍ରାମବାସୀମାନେ ଖଟିଆରେ ମୃତଦେହକୁ ବୋହି ଗ୍ରାମକୁ ନେଇଥିଲେ।ଗ୍ରାମବାସୀ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ। ରାସ୍ତା ଅଭାବରୁ ପୂର୍ବରୁ ମଧ୍ୟ ଅସୁସ୍ଥ ରୋଗୀ ଓ ମୃତଦେହକୁ ଖଟିଆରେ ବୋହିବାକୁ ପଡ଼ିଛି। ବାରମ୍ବାର ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ। ଏନେଇ ଗୁଡ଼ାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍.ଓ. ଡା. ସ୍ୱାଗତ ସ୍ୱାଇଁ କହିଛନ୍ତି ଯେ, ମହିଳାଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରି ତଦନ୍ତ କରାଯିବ। ଅନ୍ୟପକ୍ଷରେ, ଗୁଡ଼ାରୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଗୁଣୁପୁରରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଥାନା ଅଧିକାରୀ ବିଶ୍ୱ ବନ୍ଧିନୀ ବାଗ ଏହା ସୂଚନା ଦେଇଛନ୍ତି। ଘଟଣା ପରେ ପେଟାଖାଲ ଗ୍ରାମକୁ ତୁରନ୍ତ ସର୍ବକାଳୀନ ସଡ଼କ ସଂଯୋଗ ଏବଂ ଗୁଡ଼ାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି ସହ ଦୁର୍ଗମ ଅଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
