ବୁଗୁଡ଼ାରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ , ଏ ବର୍ଷ ୩ ଲକ୍ଷ ୫୦ ହଜାର ଚାରା ବିତରଣ କରିବ ବନ ବିଭାଗ
ବୁଗୁଡ଼ା : ତା ୦୧/୦୭/୨୬ : ଚଳିତ ବର୍ଷ ୭୭ତମ ବନମହୋତ୍ସବ ସପ୍ତାହର ପ୍ରଥମ ଦିବସରେ ବୁଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ଚାରା ବିତରଣ କେନ୍ଦ୍ରର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ସାଙ୍ଗକୁ ଚାରା ବିତରଣର ଶୁଭାରମ୍ଭ ହୋଇଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ, ଭଞ୍ଜନଗର ଏସିଏଫ୍ ପ୍ରଦୀପ ବେହେରା ଉକ୍ତ ଚାରା ବିତରଣ କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ, ବନପାଳ ସୁଧିର କୁମାର ପଟ୍ଟନାୟକ, ଅଭିରାମ ଖିଲ, ସୁକାନ୍ତ କୁମାର ପଟ୍ଟନାୟକ, ଅର୍ଜୁନ ଜାନି, ଅରବିନ୍ଦ ନାୟକ ଓ ସୁନିତା ପାତ୍ରଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଏ ବର୍ଷ ବୁଗୁଡ଼ା ବନ ବିଭାଗ ପକ୍ଷରୁ ୩ ଲକ୍ଷ ୫୦ ହଜାର ଚାରା ବିତରଣର ଲକ୍ଷ୍ୟ ରହିଥିବା ବେଳେ ବନାଞ୍ଚଳ ଅନ୍ତର୍ଗତ ବାଘୁଆ , କଦମ୍ବମଠ , କଣ୍ଟାବଣି , ମାଣିତରାରେ , ପଞ୍ଚଭୂତି , ବୁଗୁଡ଼ା , ଶାଙ୍କୁଳାଈ , ଶୁଳିଆପଲ୍ଲୀ , ଠଣାପଲ୍ଲୀ ଓ କୁମୁଣ୍ଡା ଆଦି ୧୦ଟି ସ୍ଥାନରେ ଥିବା ନର୍ସରୀରେ ଚାରା ପ୍ରସ୍ତୁତ କରାଯାଇ ବିତରଣ କେନ୍ଦ୍ରର ବ୍ଯବସ୍ଥା କରାଯାଇଛି। ଉକ୍ତ ନର୍ସରୀ ଗୁଡିକରେ ଶାଗୁଆନ, ପିଆଶାଳ, କାଜୁ, ଅଅଁଳା,ବାହାଡା, ଚନ୍ଦନ, ନିମ୍ବ, ଅମୃତ ଭଣ୍ଡା, ସଜନା, ରକ୍ତ ଚନ୍ଦନ, ପିଜୁଳି, ବାଉଁଶ, ଫାସି, ଗମ୍ଭାରି, ସୀତାଫଳ, ଡାଳିମ୍ବ, କଇଠ, ଫଣପଣା, କରଞ୍ଜ, ଶିଶୁ, ବରଗଛ, ଓସ୍ତଗଛ, ତେନ୍ତୁଳି, ଜାମୁ, ମେହେଗାନି, ଧୌରାଞ୍ଜ ସମେତ ବିଭିନ୍ନ ଜଙ୍ଗଲ କିସମ ଚାରା ଉପଲବ୍ଧ ରହିଛି। ତେବେ ପ୍ରତି ଚାରାକୁ ୧ ଟଙ୍କାରେ ଲୋକଙ୍କୁ ବିକ୍ରି କରାଯାଉଥିବା ବେଳେ ଅନୁଷ୍ଠାନଗୁଡିକୁ ମାଗଣାରେ ଚାରା ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।
