July 4, 2026

ଗଜପତି ପୁଲିସର ବଡ଼ ସଫଳତା : ଆନ୍ତଃରାଜ୍ୟ ମାନବ ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୭ ଯୁବତୀ ଉଦ୍ଧାର, ୨ ଗିରଫ

IMG-20260702-WA0007
Share

ମୋହନା—ଗଜପତି ଜିଲ୍ଲା ଅଡବା ଥାନା ପୁଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରି ବଡ଼ ସଫଳତା ହାସଲ କରିଛି। ପୁଲିସ ହାଇଦ୍ରାବାଦରେ ଚଢ଼ାଉ କରି ୭ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳିକା ଏବଂ ଜଣେ ସାବାଳିକା ଥିବା ଜଣାପଡ଼ିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଡ଼ବା ପୁଲିସ ।ସୂଚନା ଅନୁଯାୟୀ ଗତ ଜୁନ୍ ୨୧ରେ ଅଡ଼ବା ଅଞ୍ଚଳର ଜଣେ ଯୁବତୀ ନିଖୋଜ ହେବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଜୁନ୍ ୨୪ରେ ନିଖୋଜ ଯୁବତୀ ଜଣକ ଫୋନ ଯୋଗେ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ସମସ୍ତ କଥା ଜଣାଇବା ପରେ ରାୟଗଡାର ଇଶ୍ୱର କୁସୁଲିଆ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ତାଙ୍କୁ ଏବଂ ତାଙ୍କର ଜଣେ ସାଙ୍ଗଙ୍କୁ ପ୍ରଥମେ ମୁନିଗୁଡା ଅଞ୍ଚଳକୁ ଏବଂ ପରେ ହାଇଦ୍ରାବାଦ ନେଇଯାଇଥିଲେ। ଚାକିରି ଦେବା ବଦଳରେ ଉଭୟ ଯୁବତୀଙ୍କୁ ୭୦ ହଜାର ଟଙ୍କାରେ ଜଣେ ମହିଳାଙ୍କ ନିକଟରେ ବିକ୍ରି କରିଦେଇଥିଲେ। ସେଠାରେ ସେମାନଙ୍କୁ ବେଆଇନ ଭାବେ ଅଟକ ରଖାଯିବା ସହ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦିଆଯିବା ସହ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରାଯାଉଥିବା ପୀଡ଼ିତାମାନେ ପୁଲିସକୁ ତଦନ୍ତ ବେଳେ ଜଣାଇଥିଲେ।

ପୀଡ଼ିତାମାନଙ୍କ ସୂଚନା ଆଧାରରେ ଅଡବା ପୁଲିସ ହାଇଦ୍ରାବାଦ ପୁଲିସର ସହଯୋଗରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଇଶ୍ୱର କୁସୁଲିଆ

( ୩୨ ) ଏବଂ ଚନ୍ଦ୍ରା ଓରଫ ସରିତା ଜୈନ ଓରଫ ସରିଥା ଲୁନାୱତ ( ୫୬ )ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ପୁଲିସର ସୂଚ଼ନା ପ୍ରକାରେ ଏହା ଏକ ସଂଗଠିତ ଆନ୍ତଃରାଜ୍ୟ ମାନବ ଚାଲାଣ ରାକେଟ ହୋଇଥିବାର ସନ୍ଦେହ କରାଯାଉଛି। ଏହି ଘଟଣା ସହ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା, ଅନ୍ୟ ପୀଡ଼ିତା ମାନଙ୍କୁ ଉଦ୍ଧାର କରିବା ଏବଂ ଘଟଣାର ସମସ୍ତ ଦିଗରେ ତଦନ୍ତ ଜାରି ରହିଥିବା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ କହିଛନ୍ତି।ଦଲାଲମାନେ ସାଧାରଣ ନିରୀହ ଲୋକଙ୍କୁ ମିଥ୍ୟା ଚାକିରି ଦେବାର ପ୍ରଲୋଭନ ଦେଖାଇ ମିଛ କହି ଅଧିକା ଟଙ୍କା ପାଇବା ଲୋଭରୁ ସତର୍କ ରହିବାକୁ ଏବଂ ମାନବ ଚାଲାଣ ସମ୍ପର୍କିତ କୌଣସି ସନ୍ଦେହଜନକ ଘଟଣା ବିଷୟରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୧୨ରେ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ପୁଲିସ।

You may have missed