ଆସିକା ସହରର ବିପର୍ଯ୍ୟସ୍ତ ପରିମଳ ଓ ସର୍ବସାଧାରଣ ଶୌଚାଳୟର ଦୂରାବସ୍ଥାକୁ ନେଇ ଆସିକା NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଆସିକା, ୦୩ ଜୁଲାଇ ୨୦୨୬.ଆସିକା ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରରେ ଥିବା ସର୍ବସାଧାରଣ ଶୌଚାଳୟଗୁଡ଼ିକର ନିୟମିତ ସଫେଇ, ମରାମତି ଓ ଜଳଯୋଗାଣ ଅଭାବରୁ ଏଗୁଡ଼ିକ ଏବେ ବ୍ୟବହାର ଅନୁପଯୋଗୀ ଓ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଏହି ଜନସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ସି.ପି.ଆଇ (ଏମ୍.ଏଲ୍) ରେଡଷ୍ଟାର, ଆସିକା ବ୍ଳକ କମିଟି ପକ୍ଷରୁ ସମ୍ପାଦକ ରାମ ଚନ୍ଦ୍ର ବାଡ଼ତ୍ୟାଙ୍କ ନେତୃତ୍ୱରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରମୁଖ ସମସ୍ୟା ଓ ଅଭିଯୋଗ:
କରୋନେସନ ପାର୍କର ଦୂରାବସ୍ଥା: କରୋନେସନ ପାର୍କ ନିକଟରେ ଥିବା ସାର୍ବଜନୀନ ଶୌଚାଳୟ ଏବଂ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ‘ସୁଜଳ’ ପ୍ରକଳ୍ପ ସ୍ଥାନଟି ଅତ୍ୟନ୍ତ ଅପରିଷ୍କାର ଓ ଆବର୍ଜନାମୟ ହୋଇପଡ଼ିଛି। ଏହି ସ୍ଥାନ ଦେଇ ପ୍ରତିଦିନ ହଜାର ହଜାର ସ୍ଥାନୀୟ ଲୋକ, ପରିବା ବଜାରର ବ୍ୟବସାୟୀ ଏବଂ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀ ଯାତାୟାତ କରୁଥିବାରୁ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି।
ପ୍ରଶାସନର ଆଖି ଆଗରେ ଅବହେଳା: ବିଡମ୍ବନାର ବିଷୟ, ଆସିକା NAC କାର୍ଯ୍ୟାଳୟ ଏବଂ ମାନ୍ୟବର ବିଧାୟକଙ୍କ ବାସଭବନ ଏଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିଲେ ସୁଦ୍ଧା, ଏଭଳି ଅବହେଳା ସହରର ବିକାଶ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସହରର ଅନ୍ୟାନ୍ୟ ସ୍ଥାନରେ ସମାନ ସ୍ଥିତି: କେବଳ କରୋନେସନ ପାର୍କ ନୁହେଁ, ବରଂ ଆସିକା ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ମସଜିଦ ସମ୍ମୁଖ ଏବଂ କୋର୍ଟ ସମ୍ମୁଖରେ ଥିବା ଶୌଚାଳୟଗୁଡ଼ିକର ଭିତର ଅଂଶ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକ ମଧ୍ୟ ବ୍ୟବହାର ଅନୁପଯୋଗୀ ଓ ଅସୁରକ୍ଷିତ ହୋଇପଡ଼ିଛି।
କମିଟିର ଦାବି:
ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସମସ୍ତ ଶୌଚାଳୟ ଓ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ତୁରନ୍ତ ମରାମତି, ନିୟମିତ ସଫେଇ, ପର୍ଯ୍ୟାପ୍ତ ଜଳ ଯୋଗାଣ ଏବଂ ଦୈନନ୍ଦିନ ଉପଯୁକ୍ତ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ତରଫରୁ ତୁରନ୍ତ ଦୃଢ଼ ଓ ବିହିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବ୍ଳକ ସମ୍ପାଦକ ଶ୍ରୀ ବାଡ଼ତ୍ୟା ଦାବି କରିଛନ୍ତି। ଯଦି ପ୍ରଶାସନ ଏହି ସମସ୍ୟାର ତ୍ଵରିତ ସମାଧାନ ନକରେ, ତେବେ ଆଗାମୀ ଦିନରେ ଜନସାଧାରଣଙ୍କୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ରୁନୁ ନାହକ, ପରି ନାହାକ, ସୁଷମା ନାହକ, ଶଙ୍କର ଇନକିଲାବ ଆଦି ଉପସ୍ଥିତ ଥିଲେ।
