August 5, 2026

ଲାଞ୍ଜିଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି 

IMG-20260129-WA0012
Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଜି ତା. 28.01.2026 ରିଖରେ

2025-26 ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ବିଦ୍ୟାଳୟଟି 135 ବର୍ଷର ଏକ ପ୍ରାଚୀନ ଶିକ୍ଷାନୁଷ୍ଠାନ l 1891 ମସିହାରେ ଲାଞ୍ଜିଗଡ଼ର ପାଟରାଜା ଶ୍ରୀଯୁକ୍ତ ମାହେଶ୍ୱରୀ ପ୍ରସାଦ ଦେଓଙ୍କ ଦ୍ୱାରା ଏହା ପ୍ରତିଷ୍ଠା କରାଯାଇଥିଲା l ଏହି ଉଚ୍ଚପ୍ରାଥମିକ ବିଦ୍ୟାଳୟଟି କଳାହାଣ୍ଡି ଜିଲ୍ଲାର ସର୍ବ ପୂରାତନ ଶିକ୍ଷାନୁଷ୍ଠାନ ବୋଲି ଜଣାଯାଏ l କଲାହାଣ୍ଡି ଜିଲ୍ଲାର ଏହି ପୁରାତନ ଶିକ୍ଷାନୁଷ୍ଠାନ କିନ୍ତୁ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି l 1990 ମସିହାରେ ଏହି ବିଦ୍ୟାଳୟର ଶତବାର୍ଷିକୀ ପାଳନ ଅବସରରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ଲାଞ୍ଜିଗଡ଼ରେ ପଦାର୍ପଣ କରି ବିଦ୍ୟାଳୟଟିର ଯଥା ସମ୍ଭବ ଉନ୍ନତି କରିବାର ପ୍ରତିଶୃତି ଦେଇଥିଲେ l କିନ୍ତୁ ଏତେ ବର୍ଷ ପରେ ବି ବିଦ୍ୟାଳୟର କୌଣସି ପ୍ରକାରେ ଉନ୍ନତି ହୋଇପାରିନାହିଁ l ବର୍ତ୍ତମାନ ଏହି ବିଦ୍ୟାଳୟରେ ଶିଶୁ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 370 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି l ବର୍ଷା ଦିନେ ଛାତରୁ ପାଣି ଝରିବା ଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି l ଏ ଅସୁବିଧାର ସମାଧାନ ପାଇଁ ଅନେକ ଥର ଦାବୀ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l

ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ପ୍ରଥମେ ବିଦ୍ୟା ଦାତ୍ରୀ ମାଆ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା l ଏକ ସୁସଜ୍ଜିତ ପେଣ୍ଡାଲରେ ନିମନ୍ତ୍ରିତ ଅତିଥି ମାନଙ୍କୁ ଉପବିଷ୍ଟ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ଉପସ୍ଥିତ ଥିଲେ l ଲାଞ୍ଜିଗଡ଼ର ବିଶିଷ୍ଟ ବ୍ୟକ୍ତି ଏବଂ ମିଡ଼ିଆ ଭାଇମାନେ ମଧ୍ୟ ନିମନ୍ତ୍ରିତ ହୋଇ ଆସିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅନେକ ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ l ଶିକ୍ଷକ ମନୋଜ କୁମାର ମହାଖୁଡ଼ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l

ପ୍ରଥମେସ୍ୱାଗତ ସଙ୍ଗୀତ ଛାତ୍ରୀ ମାନଙ୍କ ଦ୍ୱାରା ଗାନ ହେବା ପରେ ପ୍ରଧାନ ଶିକ୍ଷକ ରାଧା ମାଧବ ରଥଯାତ୍ରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ମଞ୍ଚାସୀନ ଅତିଥିମାନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ, ଗୀତ ଓ ଅଭିନୟ ପରିବେଷଣ କରାଯାଇଥିଲା ଯାହାକି ଅତି ଉଚ୍ଚକୋଟିର ଥିଲା l ଉପସ୍ଥିତ ସମସ୍ତେ ତାହା ଦେଖି ମୁଗ୍ଧ ହୋଇ ଭୁୟସୀ ପ୍ରଶଂସା କରିଥିଲେ l

ଏହା ପରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଯେଉଁମାନେ କୃତିତ୍ୱ ହାସଲ କରିଥିଲେ, ସେମାନଙ୍କୁ ପ୍ରଥମ, ଦ୍ଵିତୀୟ, ତୃତୀୟ କ୍ରମାନ୍ୱୟରେ ପୁରସ୍କାର ବିତରଣ କରାଯାଇଥିଲା l ମୁଖ୍ୟଅତିଥି ଭାବେ ସରପଞ୍ଚ ତାଙ୍କ ଭାଷଣ ଦେଇଥିଲେ ଏବଂ ବିଦ୍ୟାଳୟର ଉନ୍ନତି ନିମନ୍ତେ ଯଥା ସାଧ୍ୟ୍ୟ ଚେଷ୍ଟା କରିବେ ବୋଲି କହିଥିଲେ l ଶେଷରେ ଶିକ୍ଷକ ଶ୍ରୀ ମନୋଜ କୁମାର ମହାଖୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ହର୍ଷ ଓ ଉଲ୍ଲାସର ସହିତ ବିଦ୍ୟାଳୟ ବାର୍ଷିକ ଉତ୍ସବଟି ସମାପନ ହୋଇଥିଲା l ପ୍ରଧାନ ଶିକ୍ଷକ ଶ୍ରୀ ରାଧାମାଧବ ରଥଙ୍କ ସହିତ ବିଦ୍ୟାଳୟର ମନୋଜ କୁମାର ମହାଖୁଡ଼, ଦୁର୍ଗାମାଧବ ମହାଖୁଡ଼, ଡମ୍ବରୁଧର ସାହୁ, ସୁଜାତା ଦାସ, ପ୍ରଭାତି ମଲିକ, ସୋନାଲି ବେହେରା, ସୀତା ରାଉତ ଓ ହିରଣ୍ୟ କୁମ୍ଭାର ପ୍ରଭୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଉତ୍ସବଟି ସମ୍ପୂର୍ଣ୍ଣ ଭାବେ ସାଫଲ୍ୟ ମଣ୍ଡିତ ହୋଇଥିଲା l

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର

You may have missed