କୋଳକୁ ଆସିବା ପୂର୍ବରୁ ବୁଜିହୋଇଗଲା ଆଖି: ଲିଭିଗଲା ମାଆ ହେବାର ସ୍ୱପ୍ନ, ନିଶ୍ଚିନ୍ନ ହୋଇଗଲା ଏକ ହସଖୁସିର ସଂସାର!
ଭଟଲି ( ଦେବାଶିଷ ଦାଶ )
କେବେ ବୁଝିବ ଏ ବାଟ? ଅଲଟ୍ରାସାଉଣ୍ଡ ପାଇଁ ଯାଉଥିବା ଗର୍ଭବତୀ ପ୍ରତିମାଙ୍କୁ ଛଡ଼ାଇ ନେଲା ନିଷ୍ଠୁର ଦୁର୍ଘଟଣା!
କେତେ ଯେ ସ୍ୱପ୍ନ ସାଜିଥିଲା ଏହି କୋମଳ ଆଖିରେ, କେତେ ସାଧନା ଓ ପ୍ରାର୍ଥନା ପରେ ସେହି ଛୋଟ ପାଦ ଦୁଇଟିର ଆଗମନକୁ ଅପେକ୍ଷା କରିଥିଲେ ବାପା-ମାଆ! ବିବାହର ବର୍ଷେ ୬ ମାସ ଭିତରେ ତିନି ତିନି ଥର ଗର୍ଭପାତର କାନ୍ଦଣା ସହିବା ପରେ, ଯେତେବେଳେ ଈଶ୍ୱର ନୂଆ ଆଶାର ଆଲୋକ ଦେଖାଇଥିଲେ, ସେତେବେଳେ ନିଷ୍ଠୁର କାଳ ସବୁକିଛି ଛଡ଼ାଇ ନେଲା। ଆଜି ସକାଳେ ଅଲଟ୍ରାସାଉଣ୍ଡ କରିବାକୁ ସ୍ୱାମୀ ବିପିନଙ୍କ ସହ ମୋଟରସାଇକେଲରେ ବାହାରିଥିବା ୭ ମାସର ଗର୍ଭବତୀ ପ୍ରତିମା (୨୧) ଆଉ ଘରକୁ ଫେରିଲେ ନାହିଁ। ଭଟଲି ସୁକୁଡ଼ା ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବୋଲେରୋର ଧକ୍କା ଗୋଟିଏ ମୁହୂର୍ତ୍ତରେ ମାଆ ସହ ତାଙ୍କ ଗର୍ଭସ୍ଥ ଅଜନ୍ମା ଶିଶୁର ପ୍ରାଣବାୟୁ ଉଡ଼ାଇ ନେଲା।
ଯେଉଁ କୋଳରେ ଶିଶୁଟିକୁ ଧରି ହସିବାର ସ୍ୱପ୍ନ ଥିଲା, ଆଜି ସେହି କୋଳ ଶୂନ୍ୟ। ହସ୍ପିଟାଲ ବାରଣ୍ଡାରେ ନିଜ ସ୍ତ୍ରୀ ଓ ଅଜନ୍ମା ସନ୍ତାନକୁ ହରାଇ ସ୍ୱାମୀ ବିପିନଙ୍କ କାନ୍ଦଣା ଓ ଚିତ୍କାର ଯେକୌଣସି ପାଷାଣ ହୃଦୟକୁ ଭାଙ୍ଗି ଚୁରମାର୍ କରିଦେଉଛି। କେବଳ ଗୋଟିଏ ଦୁର୍ଘଟଣା ନୁହେଁ, ଏହା ଗୋଟିଏ ପରିବାରର ଭବିଷ୍ୟତ, ଭାବନା, ଆଶା ଓ ସବୁ ଖୁସିକୁ ଏକାଥରକେ ମାଟିରେ ମିଶାଇ ଦେଇଛି। ପ୍ରକୃତିର ଏହି ଅକାଳ ବିଚାର ଆଗରେ ଆଜି ପୂରା ଅଞ୍ଚଳ ଶୋକରେ ସ୍ତବ୍ଧ।
