September 27, 2026

ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ

IMG-20260926-WA0033
Share

 

 

ବରପାଲି : ୨୬/୦୯ (ସୁଦାମ ଦୀପ)ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ବରପାଲିଠାରେ ପବିତ୍ର ଶ୍ରୀ ଅନନ୍ତ ନାରାୟଣ ପୂଜା ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଯାଇଛି। ଏହି ପୂଜାର ବିଶେଷତ୍ୱ ହେଉଛି ଭଗବାନ ବିଷ୍ଣୁ ଅନନ୍ତ ନାଗ ଉପରେ ଶୟନ କରିଥିବା ଏବଂ ମା’ ଲକ୍ଷ୍ମୀ ତାଙ୍କର ପାଦ ପ୍ରକ୍ଷାଳନ କରୁଥିବା ମନୋହର ଦୃଶ୍ୟ। ସେହିପରି ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ଜନ୍ମ ନେଉଥିବା ପୌରାଣିକ ଦୃଶ୍ୟ ମଧ୍ୟ ଏହି ମୂର୍ତ୍ତିରେ ପ୍ରତିଫଳିତ ହୋଇଥାଏ, ଯାହା ଦର୍ଶକ ଓ ଭକ୍ତମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ଏହି ପରମ୍ପରାର ଇତିହାସ ବହୁ ପୁରାତନ। ସୂଚନା ଅନୁଯାୟୀ ବରପାଲିର କୁଲିପଡା ନିବାସୀ ସ୍ୱର୍ଗତ ଶ୍ରୀ ବୁଧୁ ମେହେର ଆଜକୁ ବହୁ ବର୍ଷ ପୂର୍ବେ ଏହି ପୂଜାର ଶୁଭାରମ୍ଭ କରିଥିଲେ। ତାଙ୍କ ପରଲୋକ ପରେ ତାଙ୍କର ଉତ୍ତରାଧିକାରୀମାନେ ଏହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ ନିଷ୍ଠାର ସହ ବଜାୟ ରଖି ଆସୁଛନ୍ତି। ପ୍ରଥମେ କେବଳ କୁଲିପଡାରେ ଅନୁଷ୍ଠିତ ହେଉଥିବା ଏହି ପୂଜା ବର୍ତ୍ତମାନ ବରପାଲିର ଭୁଲିଆପଡାରେ ମଧ୍ୟ ବଡ ଜାକଜମକରେ ପାଳନ କରାଯାଉଛି। ଏହି ଦୁଇଟି ସ୍ଥାନରେ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି। ପ୍ରକାଶ ଥାଉ ଯେ, ବରପାଲିରେ ଏହି ଅନନ୍ତ ନାରାୟଣ ପୂଜା ସମୟରେ ଶୀତଳ ଷଷ୍ଠୀ ଯାତ୍ରା ପରି ଏକ ଭ୍ରମ ସୃଷ୍ଟି ହୋଇଥାଏ। ବାଜା ରୋଷଣୀ ଓ ଭଜନ କୀର୍ତ୍ତନରେ ପୁରା ଅଞ୍ଚଳ ଉତ୍ସବ ମୁଖର ହୋଇଉଠେ। ମାତ୍ର ଦୁଃଖର ବିଷୟ ହେଉଛି ଯେ, ସମୟ କ୍ରମେ ଏହି ଐତିହ୍ୟ ପୂର୍ଣ୍ଣ ପୂଜା ତାର ପୂର୍ବ ଗୌରବ ହରାଇବାକୁ ବସିଲାଣି। ପୂର୍ବ ଭଳି ଲୋକଙ୍କ ମଧ୍ୟରେ ସେହି ଉତ୍ସାହ ଓ ପ୍ରଶାସନିକ ସହଯୋଗର ଅଭାବ ଦେଖାଦେଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଭକ୍ତମାନେ ଏହି ପରମ୍ପରାକୁ ପୁନର୍ଜୀବିତ କରି ଏହାର ପ୍ରଚାର ପ୍ରସାର କରିବାକୁ ଦାବି କରୁଛନ୍ତି।