ଚାଷୀ ହୋଇ ଜନ୍ମ ନେବା କଣ ପାପ ?
ବୋଲଗଡ଼,୨୨/୧୧(ସୁଶାନ୍ତ କୁମାର ପ୍ରଧାନ): ହଁ, ଏ ପ୍ରଶ୍ନଟା ମୋର ନୁହେଁ। ଏ ପ୍ରଶ୍ନଟା ବୋଲଗଡ଼ ମାଟିର, ହଳ ମୁଠିର, ଆପଣଙ୍କ ଥାଳିରେ ଭାତ ଦେଉଥିବା ସେହି ଛାତି ଫାଟି ଯାଇଥିବା ଚାଷୀର।ବୋଲଗଡ଼ ବ୍ଲକରେ ଚଳିତ ବର୍ଷ ପ୍ରାୟ ୧୩ ହଜାର ହେକ୍ଟର ଜମିରେ ଖରିଫ ଧାନ ହୋଇଛି। ସରକାରୀ ଆକଳନ ଅନୁସାରେ ସେଥିରୁ ପ୍ରାୟ ୫ ହଜାର ହେକ୍ଟର ଫସଲ ବାତ୍ୟା ଜନିତ ଲଗାଣ ବର୍ଷାରେ ପ୍ରଭାବିତ। ଏହା ପୂର୍ବରୁ ଲଘୁଚାପ ଓ ପୂର୍ବ ବାତ୍ୟାରେ ହଜାର ହଜାର ହେକ୍ଟର ଧାନ ଶୋଇ ଯାଇଥିଲା। ଆଜି ଯାଏଁ ସର୍ଭେ ହେଲାନି, କ୍ଷତିପୂରଣ ଟଙ୍କାଟିଏ ମିଳିଲାନି। ପୁଣି ଆସିଲା ବାତ୍ୟା ଆକ୍ବାନ।ବିଲରେ ଥିବା ଧାନ ପାଣିରେ ବୁଡି ଗଜା ହେବାକୁ ବସିଲାଣି। ଚାଷୀ କେତେ ସହିବ ?ଚାଷୀର ଯୁଦ୍ଧ କେବଳ ବାତ୍ୟା ସହ ନୁହେଁ ବିହନ ପୋତିଲା ବେଳୁ ପିମ୍ପୁଡ଼ି ଖାଏ, ଚାରା ହେଲା ବେଳୁ ପୋକ ଖାଏ। ଟିକେ ବଢିଲା ବେଳୁ ରାତି ଅଧରେ ବରାହ ପଲ ଆସି ପୁରା ଫସଲକୁ ଦଳି ଦେଇ ଚାଲିଯାଏ। ପୁଣି ହାତୀ ପଲ ଆସି ବର୍ଷକର ସ୍ୱପ୍ନକୁ ପାଦରେ ଚକଟି ଦେଇ ଚାଲିଯାଏ। ସେ ରାତି ସାରା ଟିଣ ବଜାଏ, ନିଆଁ ଜାଳେ, ଜଗୁଆଳି କରେ। କିନ୍ତୁ ଏତିକିରେ ସରେ ନାହିଁ ଦୁଃଖ ବଞ୍ଚି ଯାଇଥିବା ଧାନ ମଣ୍ଡିକୁ ଗଲା ବେଳେ ଆରମ୍ଭ ହୁଏ ଆଉ ଏକ ଯୁଦ୍ଧ। ମିଲର କହେ ଦାନା ସରୁ, ପାଣି ବାଜି ଧାନ କଲର ଫେଡ୍ ହୋଇଛି, ବାବୁ କହେ କାଗଜ ଭୁଲ୍। କ୍ୱିଣ୍ଟାଲ ପିଛା ୫ କିଲୋ, ୧୦ କିଲୋ କାଟି ଦିଅ। ଚାଷୀ ହସି ହସି ସହେ, କାରଣ ସେ ଚାଷୀ।ଗଲା ଅଦିନିଆ ବର୍ଷାରେ ଧାନ ଗଜା ହୋଇଗଲା, ଆଜି ଯାଏଁ ସର୍ଭେ ନାହିଁ। ଏବେ ଆକ୍ବାନ ବାତ୍ୟା। କିଛି ଧାନ ଖଳାରେ, କିଛି ବିଲରେ ବୁଡି ରହିଛି।ଏତେ ସହି ସାରି ବି ସେ ପୁଣି ହଳ ଧରିବ। କାହିଁକି ଜାଣନ୍ତି? କାରଣ ସେ ଯଦି ହଳ ଛାଡିଦେବ, ଆପଣ ଭୋକରେ ମରିବେ। ତେବେ କୁହନ୍ତୁ ଚାଷୀ ହୋଇ ଜନ୍ମ ହେବା ପାପ କି ? ନା ଚାଷୀକୁ ଏମିତି ଅସହାୟ କରି ଛାଡିଦେବା ଆମ ପାପ ?ଏ ପ୍ରଶ୍ନର ଉତ୍ତର ବାତ୍ୟା ଆଶ୍ରୟସ୍ଥଳୀରେ ନାହିଁ, ଏ ପ୍ରଶ୍ନର ଉତ୍ତର ଅଛି ଆପଣଙ୍କ ବିବେକରେ, ପ୍ରଶାସନର ଫାଇଲରେ।(ଉପାନ୍ତ ଖବର)
