November 29, 2026

ମହାବୀରପଡ଼ାରେ ଅବ୍ୟବସ୍ଥାର ପାହାଡ଼, ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?ରାସ୍ତାରେ ଖାଲଖମା, ଭାଙ୍ଗିଲା ଜିମ୍ ଗେଟ୍‌, ଅଚଳ ଷ୍ଟ୍ରିଟ୍‌ଲାଇଟ୍‌; ଜନସାଧାରଣ ହନ୍ତସନ୍ତ…..

IMG-20261129-WA0103
Share

ସମ୍ବଲପୁର, ୨୯. ୧୧: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ମହାବୀରପଡ଼ା ୱାର୍ଡ ନମ୍ବର ୩୭ରେ ଦେଖାଦେଇଛି ମୌଳିକ ସମସ୍ୟାର ବିକଳ ଚିତ୍ର। ରାସ୍ତାଘାଟର ଦୁରବସ୍ଥାଠାରୁ ଆରମ୍ଭ କରି ଷ୍ଟ୍ରିଟ୍‌ଲାଇଟ୍‌ ଅଚଳ ଓ ସର୍ବସାଧାରଣଙ୍କ ପାଇଁ ନିର୍ମିତ ଜିମ୍‌ର ଅବ୍ୟବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଏବେ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢ଼ାଇଛି।ୱାର୍ଡର ଅନେକ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ବିଶେଷକରି ବରିଷ୍ଠ ନାଗରିକ, ମହିଳା ଓ ଛୋଟ ପିଲାମାନେ ଏହାଦ୍ୱାରା ଅଧିକ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ମହାନଗର ନିଗମ ପକ୍ଷରୁ ନିର୍ମିତ ଜିମ୍‌ର ଗେଟ୍‌ ଭାଙ୍ଗି ମୁକୁଳା ହୋଇପଡ଼ିଛି। ଫଳରେ ଏହାର ପରିସର ଅସାମାଜିକ କାର୍ଯ୍ୟକଳାପ ଓ ଅବ୍ୟବସ୍ଥାର ଆଶଙ୍କା ସୃଷ୍ଟି କରିବା ସହ ଗାଈଗୋରୁଙ୍କ ଗୁହାଳରେ ପରିଣତ ହୋଇଛି। ଲୋକଙ୍କ ସ୍ୱାସ୍ଥ୍ୟ ଓ ଶାରୀରିକ ସୁସ୍ଥତା ପାଇଁ ନିର୍ମିତ ଏହି ଜିମ୍‌ର ଏଭଳି ଦୁରବସ୍ଥା ମହାନଗର ନିଗମର ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେହିପରି ୱାର୍ଡର ଅନେକ ସ୍ଥାନରେ ଷ୍ଟ୍ରିଟ୍‌ଲାଇଟ୍‌ ଅଚଳ ହୋଇପଡ଼ିଥିବାରୁ ସନ୍ଧ୍ୟା ପରେ ରାସ୍ତା ଅନ୍ଧକାରମୟ ହୋଇଯାଉଛି। ଏହା ଯୋଗୁଁ ଯାତାୟାତରେ ଅସୁବିଧା ସହ ନିରାପତ୍ତାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏହାସହ ରାସ୍ତା ଅବରୋଧ ସମସ୍ୟା ମଧ୍ୟ ଏଠାରେ ନିତିଦିନିଆ ଘଟଣା ପାଲଟିଛି। ଫଳରେ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେବା ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।ଏହି ସମସ୍ୟାଗୁଡ଼ିକ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ତାହାର ସ୍ଥାୟୀ ସମାଧାନ ହେଉନଥିବା ଅଞ୍ଚଳବାସୀଙ୍କ ଅଭିଯୋଗ। ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଏଭଳି ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠିଛି।ମହାନଗର ନିଗମ କେବଳ ନୂତନ ଯୋଜନା ଓ ନିର୍ମାଣରେ ସୀମିତ ନରହି ପୂର୍ବରୁ ନିର୍ମିତ ସାର୍ବଜନୀନ ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ନାଗରିକଙ୍କ ମୌଳିକ ସୁବିଧା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ତେଣୁ ମହାବୀରପଡ଼ା ୱାର୍ଡ ୩୭ର ରାସ୍ତା ମରାମତି, ଜିମ୍‌ର ଭାଙ୍ଗିଥିବା ଗେଟ୍‌ ପୁନଃନିର୍ମାଣ, ଅଚଳ ଷ୍ଟ୍ରିଟ୍‌ଲାଇଟ୍‌ ମରାମତି ଏବଂ ରାସ୍ତା ଅବରୋଧ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମହାନଗର ନିଗମ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

You may have missed