September 23, 2026

ରାଜ୍ୟସ୍ତରୀୟ ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୭ ପ୍ରସ୍ତାବ ଚୟନ

IMG-20260922-WA0083
Share

 

ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୬ର ବିଶ୍ୱବିଦ୍ୟାଳୟସ୍ତରୀୟ ପର୍ଯ୍ୟାୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏଥିରୁ ସାତଟି ଶ୍ରେଷ୍ଠ ଅଭିନବ ପ୍ରସ୍ତାବ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି।

ଦେଶରେ ନବସୃଜନ ଓ ଉଦ୍ୟମିତାକୁ ସ୍ୱନିଯୁକ୍ତି ଏବଂ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ଭାବେ ଗୁରୁତ୍ୱ ଦିଆଯାଉଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଭଳି ପଦକ୍ଷେପ ମାଧ୍ୟମରେ ଯୁବ ଉଦ୍ଭାବକ ଓ ଉଦ୍ୟୋଗୀମାନଙ୍କୁ ଆର୍ଥିକ, ପ୍ରଯୁକ୍ତିଗତ, ଇନ୍କ୍ୟୁବେସନ୍ ଓ ମେଣ୍ଟରସିପ୍ ସହାୟତା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଯୁବପିଢ଼ିଙ୍କ ଅଭିନବ ଚିନ୍ତାଧାରାକୁ ଚିହ୍ନଟ ଓ ବିକଶିତ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି।

ପ୍ରତିଯୋଗିତାଟି ଅନୁଷ୍ଠାନସ୍ତର, ବିଶ୍ୱବିଦ୍ୟାଳୟସ୍ତର ଓ ରାଜ୍ୟସ୍ତର—ଏହି ତିନୋଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ଉଚ୍ଚଶିକ୍ଷା ବିଭାଗରୁ ଏ ସମ୍ପର୍କିତ ପତ୍ର ପ୍ରାପ୍ତ ହେବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏହାର ଅନୁବନ୍ଧିତ ମହାବିଦ୍ୟାଳୟ ଓ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ SOP ଓ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠାନସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲା। ପ୍ରତ୍ୟେକ ଅଂଶଗ୍ରହଣକାରୀ ଅନୁଷ୍ଠାନରୁ ଶ୍ରେଷ୍ଠ ତିନୋଟି ପ୍ରସ୍ତାବ ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା।

ଅନୁଷ୍ଠାନସ୍ତରର ସମସ୍ତ ପ୍ରତିଯୋଗୀଙ୍କୁ ଇ-ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଚୟନିତ ପ୍ରସ୍ତାବଗୁଡ଼ିକୁ ମେରିଟ୍ ପ୍ରମାଣପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଏହାର ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟରୁ ପ୍ରାୟ ୧୦୩ଟି ଅଭିନବ ପ୍ରସ୍ତାବ ଆସିଥିଲା। ୨୨ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ବିଶ୍ୱବିଦ୍ୟାଳୟସ୍ତରୀୟ ମୂଲ୍ୟାୟନରେ ପ୍ରତିଯୋଗୀମାନେ ଶିକ୍ଷା ଓ ଶିଳ୍ପକ୍ଷେତ୍ରର ବିଶେଷଜ୍ଞଙ୍କୁ ନେଇ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ସମ୍ମୁଖରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ନିଜ ଅଭିନବ ଚିନ୍ତାଧାରା ଉପସ୍ଥାପନ ଓ ପ୍ରତିପାଦନ କରିଥିଲେ।

ନବସୃଜନ, ପ୍ରାସଙ୍ଗିକତା, କାର୍ଯ୍ୟକାରିତା, ସମ୍ଭାବ୍ୟ ପ୍ରଭାବ ଏବଂ ଭବିଷ୍ୟତ ବିକାଶର ସୁଯୋଗ ଆଦି ମାନଦଣ୍ଡ ଆଧାରରେ ପ୍ରସ୍ତାବଗୁଡ଼ିକର ମୂଲ୍ୟାୟନ କରାଯାଇ ସାତଟି ଶ୍ରେଷ୍ଠ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୬ ପାଇଁ ଚୟନ କରାଯାଇଛି।

ଚୟନିତ ସାତଟି ପ୍ରସ୍ତାବକୁ ମେରିଟ୍ ପ୍ରମାଣପତ୍ର ସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ଚୟନିତ ଛାତ୍ର ଉଦ୍ଭାବକମାନଙ୍କୁ ସେମାନଙ୍କ ଅଭିନବ ଧାରଣା ଓ ପ୍ରୋଟୋଟାଇପ୍‌କୁ ଆହୁରି ବିକଶିତ କରିବାରେ ସହାୟକ ହେବ।

ଚୟନିତ ଦଳଗୁଡ଼ିକ ନଭେମ୍ବର ୨୦୨୬ର ତୃତୀୟ ସପ୍ତାହରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିବେ। ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦ଟି ପ୍ରସ୍ତାବକୁ ପ୍ରତ୍ୟେକ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ମେଣ୍ଟରସିପ୍ ଓ ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ କରାଯିବ, ଯାହା ସେମାନଙ୍କ ପ୍ରକଳ୍ପର ପରବର୍ତ୍ତୀ ବିକାଶ ଓ ସମ୍ପୂର୍ଣ୍ଣତାରେ ସହାୟକ ହେବ।

ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଶ୍ରେଣୀକକ୍ଷ ଶିକ୍ଷାର ସୀମାରୁ ବାହାରି ନିଜ ଜ୍ଞାନ, ସୃଜନଶୀଳତା ଓ ଅଭିନବ ଚିନ୍ତାଧାରାକୁ ବାସ୍ତବ ସମସ୍ୟାର ସମାଧାନରେ ପ୍ରୟୋଗ କରିବାର ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି।