September 23, 2026

ପାଟପୁର କଲେଜ ରେ ଓଡ଼ିଆ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

IMG-20260922-WA0076
Share

 

ସାନଖେମୁଣ୍ଡି ୨୨/୯: (ବିଜୟ କୁମାର ପ୍ରଧାନ ) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସ୍ଥିତ ବିଶ୍ୱରାୟ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ପକ୍ଷରୁ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧ୍ୟାପକ ଡ. ସୁରେନ୍ଦ୍ର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ।ମୁଖ୍ୟ ବକ୍ତା ଭାବେ ରସାୟନ ବିଭାଗର ମୁଖ୍ୟ ତଥା ଷ୍ଟାଫ୍ କାଉନସିଲ୍ ସଚିବ ଶ୍ରୀ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଛାତ୍ରଜୀବନରେ ଶୃଙ୍ଖଳା, ନିଷ୍ଠା, ନିରନ୍ତର ଅଧ୍ୟୟନ ଓ ନିଜ ପ୍ରତିଭାର ବିକାଶର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ସାହିତ୍ୟ, ସଂସ୍କୃତି ଓ ସମାଜ ସମ୍ପର୍କରେ ବ୍ୟାପକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ ଦେଇଥିଲେ।ଶ୍ରୀ ତ୍ରିଲୋଚନ ଦାସ, ଅଧ୍ୟାପକ, ଇଂରାଜୀ ବିଭାଗ ତଥା ଆକାଉଣ୍ଟ ବର୍ସର ଏବଂ ଶ୍ରୀ ସଞ୍ଜୟ କୁମାର ଭୂୟାଁ, ରାଜନୀତି ବିଜ୍ଞାନ ବିଭାଗ ମୂଖ୍ୟ ତଥା ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବାଗତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିଜ ଶିକ୍ଷା ଜୀବନର ଏହି ନୂତନ ପର୍ଯ୍ୟାୟକୁ ସୁଯୋଗ ଭାବେ ଗ୍ରହଣ କରି ନିୟମିତ ଶ୍ରେଣୀରେ ଯୋଗଦେବା, ଶିକ୍ଷକମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଏବଂ ସହପାଠୀମାନଙ୍କ ସହ ସୁସ୍ଥ ଶିକ୍ଷାମୂଳକ ପରିବେଶ ଗଢ଼ିବାକୁ ସେମାନେ ପରାମର୍ଶ ଦେଇଥିଲେ।ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷାରାଣୀ ପାଣିଗ୍ରାହୀ ନବାଗତ ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ଜଣାଇବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ପରମ୍ପରା, ଆଧୁନିକ ସମୟରେ ଏହାର ଗୁରୁତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଓ ସୃଜନଶୀଳ ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ତିମ ବର୍ଷର ଛାତ୍ରୀ ପ୍ରମିତା ପଣ୍ଡାଙ୍କ ଦ୍ୱାରା ପରିବେଷିତ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରୀ ସରିତା ପରିଡ଼ା ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଅନ୍ତିମ ବର୍ଷର ଛାତ୍ରୀ ପ୍ରିୟଙ୍କା ଦଳାଇ କରିଥିଲେ ଏବଂ ଶିବାନୀ ପରିଡ଼ା, ଗୋପାଳ ସାହୁ, ପୂଜା ଦାସ, ଦୀପିକା ସ୍ବାଇଁ, ପ୍ରମିତା ପଣ୍ଡା, ବିଶ୍ୱଜିତ ଆଚାର୍ଯ୍ୟ ପ୍ରମୁଖ ସଭା ସଞ୍ଚାଳନ ରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ବରିଷ୍ଠ ଓ ନବାଗତ ଛାତ୍ରଛାତ୍ରୀମାନେ ପରସ୍ପର ସହ ପରିଚିତ ହୋଇଥିଲେ। ନୂତନ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଓ ବିଭାଗର ଶିକ୍ଷାମୂଳକ ପରିବେଶ ସହ ନିଜକୁ ଯୋଡ଼ିବା ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନକୁ ଆଗେଇ ନେବା ପାଇଁ ପ୍ରେରଣା ପାଇଥିଲେ।ଶେଷରେ ବିଭାଗ ମୁଖ୍ୟ ଡ. ଶବର ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି ସ୍ୱାଗତ ସମ୍ବର୍ଦ୍ଧନା ନବାଗତ ଛାତ୍ରଛାତ୍ରୀଙ୍କ ମନରେ ବିଭାଗ ପ୍ରତି ଆତ୍ମୀୟତା ଓ ଶିକ୍ଷା ପ୍ରତି ଉତ୍ସାହ ସୃଷ୍ଟି କରିଥିଲା।