ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର ଭବ୍ୟ ପଦଯାତ୍ରା ଶୁଭାରମ୍ଭ
ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ପାଇଁ ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳବାର ଶ୍ରୀଜଗନ୍ନାଥଙ୍କ ପରମ ପାବନ ଶ୍ରୀକ୍ଷେତ୍ର ପୁରୀ ରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଐତିହାସିକ ଭବ୍ୟ ପଦଯାତ୍ରା ଆରମ୍ଭ କରାଯାଇଛି l ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ପ୍ରଭୁଙ୍କର ଆଜ୍ଞାମାଳ ନେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ବାସଭବନ ପର୍ଯ୍ୟନ୍ତ ଏହି ବିଶାଳ ପଦଯାତ୍ରା ପ୍ରାରମ୍ଭ କରାଯାଇଛି l ସୂଚନା ଯୋଗ୍ୟ ଯେ ୨୦୦୮ ରୁ ୨୦୧୮ ସରକାରୀ ଅନୁଦାନ ନୀତି ପାଇଁ ସଂଘ ଦୀର୍ଘ ଦିନରୁ ଦାବି କରିଆସୁଛି l ବହୁବାର ସରକାରଙ୍କ ସହ ଆଲୋଚନା କରାଯାଇଛି l ଗତ ମୌସୁମୀ ଅଧିବେଶନରେ ସଂଘର ଆମରଣ ଅନଶନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଖୁବଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷକ ଅଧ୍ୟାପକମାନଙ୍କର ଦାବି କୁ ଅନୁଶୀଳନ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ କମିଟି ଗଢ଼ା ଯାଇଥିଲା l ମାତ୍ର ଦୁଃଖ ଏବଂ ପରିତାପର ବିଷୟ ସରକାର କମିଟିର ଦ୍ୱାହି ଦେଇ ଅଧ୍ୟାପକ କର୍ମଚାରୀମାନଙ୍କର ଦାବିକୁ ଅଣଦେଖା କଲେ l ଉଚ୍ଚସ୍ତରୀୟ କମିଟି ତାର ରିପୋର୍ଟ ପ୍ରଦାନ କରିସାରିଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ଦାବି ପୂରଣ କଲେ ନାହିଁ l ତେଣୁ ସଂଘ ପରିଶେଷରେ କୋଟି ଓଡିଆର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ଆଶ୍ରିର୍ବାଦ ଭିକ୍ଷା କରି ତାଙ୍କର ପାବନ ଶରଧାବାଲି ରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବିଶାଳ ଐତିହାସିକ ପଦଯାତ୍ରା କରୁଛି l ଯଦି ମୁଖ୍ୟମନ୍ତ୍ରୀ ମହୋଦୟ ଦାବି ପୂରଣ ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି ତେବେ ସଂଘ ଆମରଣ ଅନଶନ କୁ ଓଲ୍ହାଇବା ପାଇଁ ଚରମ ନିଷ୍ପତି ନେବ ବୋଲି ସଂଘର ରାଜ୍ୟ ସଭାପତି ଶ୍ରୀମାନ ବିଶ୍ୱରଞ୍ଜନ ଦାସ କହିଛନ୍ତି l ନିବେଦନ ମହାଆନ୍ଦୋଳନ ଦ୍ୱାରା ସୃଷ୍ଟି ହେବାକୁ ଯାଉଥିବା ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଯଥାଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଅନୁଦାନ ନୀତି ୨୦୦୮ ରୁ ୨୦୧୮ ଘୋଷଣା କରନ୍ତୁ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
