ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ହରଡ଼ଘଣାରେ । ଏନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ…
ଚିକିଟି
ସୁଭଶ୍ରୀ ପ୍ରଧାନ
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ଆଦିବାସୀ ବିଦ୍ୟାପୀଠରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗୋବିନ୍ଦ ବଡ଼ମୁଣ୍ଡିଙ୍କ ପୁଅ ବିବେକ ବଡ଼ମୁଣ୍ଡି ବୁରାତାଲସ୍ଥିତ ଆଦିବାସୀ ବିଦ୍ୟାପୀଠରେ ନବମ ଶ୍ରେଣୀ ଅଧ୍ୟୟନ କରୁଛନ୍ତି। ମଙ୍ଗଳବାର ସକାଳେ ପ୍ରାର୍ଥନା ସମୟରେ ବିଦ୍ୟାପୀଠର ଜଣେ ଶିକ୍ଷୟିତ୍ରୀ ବାଉଁଶ ବାଡ଼ିରେ ବିବେକଙ୍କୁ ମାଡ଼ ମାରିଥିବା ନେଇ ଛାତ୍ରଙ୍କ ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦୁଇଥର ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।ଛାତ୍ରଙ୍କ କହିବା ଅନୁଯାୟୀ ଘଟଣା ପରେ ସେ ଭୟଭୀତ ହୋଇ ଛାତ୍ରାବାସରୁ ଘରକୁ ଆସି ଘଟଣା ସମ୍ପର୍କରେ ବାପାଙ୍କୁ ଜଣାଇଥିଲେ। ମାଡ଼ ମାରିବା ପରେ ଘଟଣା ସମ୍ପର୍କରେ ବାହାରେ କିମ୍ବା ବାପାମାଆଙ୍କୁ କହିଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଛାତ୍ରାବାସରେ ଦିଆଯାଉଥିବା ଖାଦ୍ୟର ଭିଡିଓରେ ସତ କହିଥିବାରୁ ଏଭଳି ମାଡ଼ ମରାଯାଇଥିବା ଛାତ୍ର ତାଙ୍କ ବାପାଙ୍କୁ କହିଥିବା ବେଳେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବା ସହ ପୁଅକୁ ନ୍ୟାୟ ପ୍ରଦାନ କରିବାକୁ ଛାତ୍ର ଙ୍କ ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ତେବେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ନବମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ବିଷୟରେ ତାଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ଉକ୍ତ ବିଦ୍ୟାପିଠରେ ଛାତ୍ରଛାତ୍ରୀ ଜଙ୍ଗଳରୁ କାଠ ବୋହି ଆଣିଥିବା ଓ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଭିଡ଼ିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚର୍ଚ୍ଚାକୁ ଆସିଥିଲା।
