August 5, 2026

ରାଜସୁନାଖଳା ରେଳ ଷ୍ଟେସନ ରାସ୍ତାରେ ବଢ଼ୁଛି ବେଆଇନ ନିଶା କାରବାର; ସନ୍ଧ୍ୟା ପରେ ଅସୁରକ୍ଷିତ ପରିବେଶ। 

IMG-20260805-WA0005
Share

 

 

ରାଜସୁନାଖଳା,୫/୮(ଉପାନ୍ତ ଖବର): ନୟାଗଡ ଜିଲ୍ଲାର ରାଜସୁନାଖଳା ରେଳ ଷ୍ଟେସନ ସଂଲଗ୍ନ ରାସ୍ତାରେ ଦିନକୁ ଦିନ ବେଆଇନ ନିଶା କାରବାର ବଢ଼ୁଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରେଳ ଷ୍ଟେସନ ଆଖପାଖ ଅଞ୍ଚଳରେ ଗଞ୍ଜେଇ ସମେତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର ବେଆଇନ କାରବାର ଦୀର୍ଘଦିନ ଧରି ଚାଲିଆସୁଛି। ରେଳ ଷ୍ଟେସନ ସମ୍ମୁଖରେ ଥିବା ଦୋକାନରେ ଚୋରାରେ ଏହି କାରବାର ଚାଲୁଥିବା ନେଇ ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଷ୍ଟେସନ ରାସ୍ତା କଡ଼ରେ ମଦ୍ୟପଙ୍କ ଭିଡ଼ ଜମୁଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ବ୍ୟାହତ ହେଉଥିବା କୁହାଯାଉଛି। ମଦ୍ୟପାନ ପରେ ରାସ୍ତା କଡ଼ରେ ବସି ହୋହଲ୍ଲା କରିବା, ଖାଲି ମଦ ବୋତଲ ଭାଙ୍ଗି ରାସ୍ତା ଉପରେ ଫିଙ୍ଗିଦେବା ଏବଂ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବା ନେଇ ଅଭିଯୋଗ ହେଉଛି। ଫଳରେ ରାସ୍ତାରେ ଭଙ୍ଗା କାଚ ପଡ଼ି ରହୁଥିବାରୁ ଦୁଇଚକିଆ ଯାନ ଚାଳକ ଓ ପଥଚାରୀମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି। ରାଜସୁନାଖଳା ରେଳ ଷ୍ଟେସନ ଅଞ୍ଚଳଟି ପ୍ରତିଦିନ ଶତାଧିକ ଯାତ୍ରୀଙ୍କ ଯାତାୟାତର ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧ ଏବଂ ଚାକିରିଆମାନେ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି। କିନ୍ତୁ ସନ୍ଧ୍ୟା ପରେ ସୃଷ୍ଟି ହେଉଥିବା ପରିସ୍ଥିତି ଯୋଗୁଁ ଅନେକେ ଭୟଭୀତ ହୋଇପଡ଼ୁଛନ୍ତି। ବିଶେଷକରି ମହିଳା ଓ ଛାତ୍ରୀମାନେ ସନ୍ଧ୍ୟା ପରେ ଏହି ରାସ୍ତା ଦେଇ ଯିବାକୁ ଅସୁରକ୍ଷିତ ମନେ କରୁଥିବା କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବାରମ୍ବାର ଅଭିଯୋଗ ସତ୍ତ୍ୱେ ବେଆଇନ ନିଶା କାରବାର ଉପରେ ଦୃଶ୍ୟମାନ ଭାବେ ଅଙ୍କୁଶ ଲାଗିପାରିନାହିଁ। ଫଳରେ ଯୁବପିଢ଼ି ନିଶା ଆଡ଼କୁ ଆକୃଷ୍ଟ ହେବାର ଆଶଙ୍କା ମଧ୍ୟ ବଢ଼ିଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ଓ ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ନିୟମିତ ପେଟ୍ରୋଲିଂ, ବେଆଇନ ନିଶା କାରବାର ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ ଏବଂ ସନ୍ଧ୍ୟା ସମୟରେ କଡ଼ା ନଜରଦାରି କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି। ଏହା ସହିତ ରାସ୍ତା କଡ଼ରେ ଖାଲି ମଦ ବୋତଲ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପକାଇବା ଉପରେ କଠୋର ପଦକ୍ଷେପ ନେବା, ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ସାଧାରଣ ଲୋକଙ୍କ ପାଇଁ ରେଳ ଷ୍ଟେସନ ଅଞ୍ଚଳକୁ ସୁରକ୍ଷିତ କରିବାକୁ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।