ସମଲେଶ୍ୱରୀ ପୀଠରେ ଶାରଦୀୟ ଦଶହରା ପୂଜା ୩ରୁ ଆରମ୍ଭ, ୨୦ରେ ବିଜୟା ଦଶମୀ,୨୫ରେ ରାଜରାଜେଶ୍ୱରୀ ବେଶ
ସମ୍ବଲପୁର, ୦୩/୧୦: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ଚଳିତ ବର୍ଷର ଶାରଦୀୟ ଦଶହରା ପୂଜା ଓ ନବରାତ୍ରି ଉତ୍ସବ ପାଇଁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରକାଶିତ ସୂଚୀ ଅନୁଯାୟୀ, ଅକ୍ଟୋବର ୩ ତାରିଖରୁ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ। ଅକ୍ଟୋବର ୨୦ ତାରିଖରେ ପୀଠରେ ଦଶହରା ଓ ମାଁଙ୍କ ରଣଜିତା ଉତ୍ସବ ଅନୁଷ୍ଠିତ ହେବ।
ଅକ୍ଟୋବର ୩ ତାରିଖ ଶନିବାର ଦିନ ଦେବୀ ଉତ୍ଥାପନ, ମୂଳାଷ୍ଟମୀ, ଦ୍ୱିତୀୟ ବାହାନ ଓଷା, କୃଷ୍ଣ ଅଷ୍ଟମୀ ସହ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ। ଏହି ଦିନ ଷୋଡ଼ଶ ପୂଜା ଦୀପ ପ୍ରଜ୍ଜ୍ୱଳନ ଓ ପୁଅ ଜିଉଁନ୍ତିଆ ପାଳିତ ହେବ।ଅକ୍ଟୋବର ୧୦ ତାରିଖରେ ଆଶ୍ୱିନ ଅମାବାସ୍ୟା ଅବସରରେ ମାଁ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେବେ। ଏହି ଦିନ ଗଙ୍ଗା ଦର୍ଶନ ମଧ୍ୟ ରହିଛି।
ଅନ୍ୟପଟେ ଅକ୍ଟୋବର ୧୧ ତାରିଖ ରବିବାର ପ୍ରତିପଦା ତିଥିରୁ ମାଁ ସମଲେଶ୍ୱରୀଙ୍କ ପୀଠରେ ନବରାତ୍ରି ଆରମ୍ଭ ହେବ। ଏହି ଅବସରରେ ନବଦିନାତ୍ମକ ମାନସିକ ଦୀପ ପ୍ରଜ୍ଜ୍ୱଳନ କରାଯିବ। ପରବର୍ତ୍ତୀ ଦିନଗୁଡ଼ିକରେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ ଓ ପଞ୍ଚମୀ ତିଥିରେ ପୂଜା ଅନୁଷ୍ଠିତ ହେବ।ଅକ୍ଟୋବର ୧୭ ତାରିଖ ଶନିବାର ସପ୍ତମୀ ଅବସରରେ ମାଁଙ୍କ ମହାସପ୍ତମୀ ପୂଜା ସହ ତ୍ରିଦିନାତ୍ମକ ମାନସିକ ଦୀପ ପ୍ରଜ୍ଜ୍ୱଳନ ହେବ।ଅକ୍ଟୋବର ୧୮ ତାରିଖ ରବିବାର ମହାଷ୍ଟମୀ ଅବସରରେ ମାଁ ସମଲେଶ୍ୱରୀଙ୍କ ମହାଷ୍ଟମୀ ପୂଜା ଓ ସନ୍ଧିପୂଜା ଅନୁଷ୍ଠିତ ହେବ। ଏହାସହ ଭାଇଜିଉଁନ୍ତିଆ, ଖଣ୍ଡାଧୂଆ ଏବଂ ଆଖଡ଼ା ନଗର ପରିକ୍ରମା ଭଳି ପାରମ୍ପରିକ କାର୍ଯ୍ୟକ୍ରମ ରହିଛି।ଅକ୍ଟୋବର ୧୯ ତାରିଖ ସୋମବାର ମହାନବମୀରେ ମାଁଙ୍କ ମହାନବମୀ ପୂଜା ସହ ଆଖଡ଼ା ନଗର ପରିକ୍ରମା ଅନୁଷ୍ଠିତ ହେବ।ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ବିଜୟା ଦଶମୀ ଅବସରରେ ସମଲେଶ୍ୱରୀ ପୀଠରେ ଦଶହରା ପାଳିତ ହେବ। ଏହି ଦିନ ମାଁ ସମଲେଶ୍ୱରୀଙ୍କ ରଣଜିତା ଉତ୍ସବ ଅନୁଷ୍ଠିତ ହେବା ସହ ମାନସିକ ଦୀପ ବିସର୍ଜନ କରାଯିବ।
୨୫ ତାରିଖ ରବିବାର କୁମାର ପୂର୍ଣ୍ଣିମା ଅବସରରେ ମାଁ ସମଲେଶ୍ୱରୀ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ। ଏହି ଦିନ ମାଁଙ୍କ ମନ୍ଦିରରେ ନୂତନ ଧ୍ୱଜା ଆରୋହଣ କରାଯିବ।
ଶାରଦୀୟ ଦଶହରା ପୂଜାର ଏହି ସମସ୍ତ ଧାର୍ମିକ ଓ ପାରମ୍ପରିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶୃଙ୍ଖଳିତ ଭାବେ ପାଳନ ପାଇଁ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଉଛି।
