କୁଜଙ୍ଗ ପୋଲିସକୁ ବଡ଼ ସଫଳତା….
୭୮ଟି ସୁନା ମୁଦି, ୮ ଟି ସୁନା ଚେନ୍ ସମେତ ବିପୁଳ ସାମଗ୍ରୀ ଜବତ ।କୁଜଙ୍ଗ , ୧୮/୧୧( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ କୁଜଙ୍ଗ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଚୋରି ମାମଲାର ତଦନ୍ତ କରି କୁଜଙ୍ଗ ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ୭୮ଟି ସୁନା ମୁଦି ଓ ୮ଟି ସୁନା ଚେନ୍ ରହିଥିବା ଜଣାପଡ଼ିଛି । ପୋଲିସ ସୂଚନା ଅନୁଯାୟୀ, କୁଜଙ୍ଗ ଥାନାରେ ଗତ ୧୨ ତାରିଖରେ କେସ୍ ନଂ-୨୮୮ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୩୧(୪)/୩୦୫(କ) ଅନୁଯାୟୀ ଏକ ଚୋରି ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ କରି ପୋଲିସ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ସମ୍ପର୍କରେ ସୁରାକ୍ ପାଇବା ପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଏଥିସହ ଚୋରି କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଏକ ଲୁହା ଶାବଳ ମଧ୍ୟ ଜବତ କରାଯାଇଛି ।ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଆଟଲାସ୍ ସାଇକେଲ, ଗୋଟିଏ ଭିଭୋ ମୋବାଇଲ ଫୋନ୍, ନଗଦ ୩୮ ହଜାର ଟଙ୍କା, ୭୮ଟି ସୁନା ମୁଦି, ୮ଟି ସୁନା ଚେନ୍, ଗୋଟିଏ ହଳ ସୁନା କାନଫୁଲ ଓ ଗୋଟିଏ ହଳ ରୂପା ପାଉଁଜି ରହିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଅବୁଲୋକଣ୍ଠ ଗ୍ରାମର କୁଣା ଦାସ (୩୫), ହବୁଳଗଣ୍ଡା ଗ୍ରାମର ବିଜୟ ଦାସ (୨୭), ପଟ୍ଟାମୁଣ୍ଡାଇ ଥାନା ଚନ୍ଦନନଗର ଗ୍ରାମର ବିଦେଶୀ ଦାସ (୧୯), କୁଣା ଦାସଙ୍କ ପତ୍ନୀ ଇନ୍ଦା ଦାସ (୩୦), ବିଜୟ ଦାସଙ୍କ ପତ୍ନୀ ବର୍ଷା ଦାସ (୨୫) ଏବଂ ରାଜନଗର ଥାନା ହାଟିଣା ଗ୍ରାମର କାଶୀନାଥ ସାମଲ (୪୩) । ଏମାନଙ୍କ ମଧ୍ୟରୁ କାଶୀନାଥ ସାମଲ ଚୋରି ସାମଗ୍ରୀ ଗ୍ରହଣ କରୁଥିବା ଅଭିଯୋଗ ହୋଇଛି ।ଗିରଫ ସମସ୍ତ ୬ ଅଭିଯୁକ୍ତଙ୍କୁ ସୋମବାର ପୋଲିସ, ଅଦାଲତରେ ହାଜର କରିଛି । ଏହି ଗ୍ୟାଙ୍ଗର ଅନ୍ୟ ଚୋରି ଘଟଣାରେ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟ ମାମଲାରେ ସମ୍ପୃକ୍ତିର ସୁରାକ୍ ମିଳିଲେ ଆଇନ ଅନୁଯାୟୀ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
