ଗଜପତି:- ଗାନ୍ଧୀ ଜୟନ୍ତୀରେ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ୍କ୍ରସ୍ ର ମିଳିତ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ, ଏନ:ଏସ:ଏସ ସ୍ୱେଚ୍ଛାସେବୀ, ଯୁବ ରେଡକ୍ରସ ସଦସ୍ୟ , ବିଦ୍ୟାଳୟର କର୍ମକର୍ତ୍ତା ଏବଂ କର୍ମଚାରୀ ମାନେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଦ୍ୟାଳୟ ପରିସରକୁ ପରିଷ୍କାର-ପରିଚ୍ଛନ୍ନ କରିଥିଲେ।
ସ୍ୱଚ୍ଛତା କାର୍ଯ୍ୟକ୍ରମ ପରେ ବିଦ୍ୟାଳୟର ସଭାଗୃହ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସଭାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା, ଶୃଙ୍ଖଳା ଓ ମାନବିକତାର ଆଦର୍ଶ ସମ୍ପର୍କରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଗାନ୍ଧୀବାଦୀ ଚିନ୍ତାଧାରାକୁ ନିଜ ଜୀବନରେ ଅନୁସରଣ କରି ସମାଜରେ ସ୍ୱଚ୍ଛତା, ଶାନ୍ତି ଓ ସେବାର ବାର୍ତ୍ତା ପ୍ରସାର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।
ଏନ:ଏସ:ଏସ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଣିଗ୍ରାହୀ ଓ ଯୁବ ରେଡକ୍ରସ ସଂଯୋଜିକା ଶ୍ରୀମତୀ କଳ୍ପନା ପଣ୍ଡା’ଙ୍କ ମିଳିତ ପରିଚାଳନାରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
—————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
—————————————-
