October 4, 2026

ମା’ ରାମଚଣ୍ଡୀ ପୀଠରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ

IMG-20261002-WA0043
Share

ଗଞ୍ଜାମ ( ଦେବାଶିଷ ଦାଶ )

 ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ଅନୁଷ୍ଠିତ ହୋଇଯାଇଛି।

ପାର୍ବଣ ଋତୁକୁ ନଜରରେ ରଖି ଏବଂ ମା’ଙ୍କ ୧୬ ଦିନାତ୍ମକ ଶାରଦୀୟ ପୂଜା ପୂର୍ବରୁ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ମନ୍ଦିର ସଂଯୋଜକ କମଳ ପଣ୍ଡାଙ୍କ ସଂଯୋଜନାରେ ଏବଂ ପୂଜା କମିଟି ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ ଓ ଉପସଭାପତି ମନୋଜ ମିଶ୍ରଙ୍କ ନେତୃତ୍ୱରେ ଏହି ସଫେଇ ଅଭିଯାନ ଆୟୋଜିତ ହୋଇଥିଲା।‌ କାର୍ଯ୍ୟକ୍ରମରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ, ଓଡ଼ିଆ ଅଧ୍ୟାପକ ଇମତିହାଁ ସାହା ଓ ଛତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପୌରପାଳିକାର ଅଧିକାରୀ ଓ ଶତାଧିକ ସଫେଇ କର୍ମଚାରୀ ଭାଗନେଇଥିଲେ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ସଫେଇ କାର୍ଯ୍ୟକ୍ରମ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡାଙ୍କ ସମେତ ନୂତନ ଭାବେ ଗଠିତ ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ, ପୂଜା କମିଟି ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ, ସହସମ୍ପାଦକ ଶଙ୍କର ନାୟକ, ଉପଦେଷ୍ଟା ମଣ୍ଡଳୀର ସୁଧୀର ମହାରଣା, କୁଞ୍ଜବିହାରୀ ନାୟକ, ଶଙ୍କର ଚର୍ତ୍ତୀ, କୋଷାଧ୍ୟକ୍ଷ ରାଜୁ ବେହେରା, ବରୁଣ ନାୟକ ଏବଂ ମନ୍ଦିର କର୍ମଚାରୀ ସନ୍ତୋଷ ପଣ୍ଡା, ଗୋପାଳ ପଣ୍ଡା, କେଦାର ନାୟକ ପ୍ରମୁଖ ସଫେଇ ଅଭିଯାନରେ ସକ୍ରିୟ ସହଯୋଗ କରିଥିଲେ।

ଏହି ଅବସରରେ ମନ୍ଦିରର ପୁରାତନ ଓ ଐତିହାସିକ ‘ରାମ କୁଣ୍ଡ’କୁ ପରିଷ୍କାର କରାଯିବା ସହ ଏହାର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଥିଲା।ଏଥିସହ ମା’ ରାମଚଣ୍ଡୀ ପୀଠକୁ ପ୍ଲାଷ୍ଟିକମୁକ୍ତ କରିବା ଉଦ୍ଦେଶ୍ୟରେ ଛତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ଦ୍ୱାରା ସମସ୍ତଙ୍କ ଉପସ୍ଥିତିରେ ‘ସ୍ୱଚ୍ଛତା ହିଁ ସେବା’ ଶପଥ ପାଠ କରାଯାଇଥିଲା।‌ କାର୍ଯ୍ୟକ୍ରମ ଶେଷରେ କରପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀ ଅଜୟ ନାୟକ ସଫେଇ ଅଭିଯାନରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁଥିବା ମେଗା ସ୍ୱଚ୍ଛତା କାର୍ଯ୍ୟକ୍ରମରେ ମଧ୍ୟ ସମସ୍ତେ ଅଧିକ ସଂଖ୍ୟାରେ ଯୋଗଦେବାକୁ ସେ ଅନୁରୋଧ କରିଥିଲେ।ସୂଚନାଯୋଗ୍ୟ ଯେ, ମା’ ରାମଚଣ୍ଡୀ ପୀଠରେ ୧୬ ଦିନିଆ ଶାରଦୀୟ ଦୁର୍ଗାପୂଜା ଅକ୍ଟୋବର ୩ ତାରିଖ ମୂଳାଷ୍ଟମୀରୁ ଆରମ୍ଭ ହୋଇ ଅକ୍ଟୋବର ୨୦ ତାରିଖ ଦଶମୀ ପର୍ଯ୍ୟନ୍ତ ଚାଲିବ।

You may have missed