October 11, 2026

ବିଶ୍ୱ ବିଦ୍ୟାର୍ଥୀ ଦିବସ ଅବସରରେ ‘ଶିଶୁ ସମାଚାର’ ପକ୍ଷରୁ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

IMG-20261008-WA0144
Share

 

ପୁରୀ: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଛାତ୍ରଛାତ୍ରୀଙ୍କ ପ୍ରେରଣାର ସ୍ରୋତ ଡ଼. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀକୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ଭାବେ ପାଳନ ଅବସରରେ ଓଡ଼ିଶାର ଅନନ୍ୟ ପିଲାଙ୍କ ମାସିକ ଖବରକାଗଜ ‘ଶିଶୁ ସମାଚାର’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ପୁରୀ ଗୌଡ଼ବାଡ଼ ସାହିସ୍ଥିତ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ବକ୍ତୃତା ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଡ଼. କଲାମଙ୍କ ଜୀବନ, ବୈଜ୍ଞାନିକ ଚିନ୍ତାଧାରା, ଶିକ୍ଷା ପ୍ରତି ନିଷ୍ଠା ଏବଂ ଦେଶର ଯୁବପିଢ଼ିଙ୍କ ପ୍ରତି ତାଙ୍କର ପ୍ରେରଣାଦାୟକ ବାର୍ତ୍ତାକୁ ନେଇ ଛାତ୍ରଛାତ୍ରୀମାନେ ବକ୍ତୃତା ପ୍ରଦାନ କରିଥିଲେ। ସେହିପରି ଚିତ୍ରାଙ୍କନ ମାଧ୍ୟମରେ ସେମାନେ ନିଜର ଚିନ୍ତା, କଳ୍ପନା ଓ ସୃଜନଶୀଳତାକୁ ରଙ୍ଗରେ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳ ଚିନ୍ତନ, ଆତ୍ମବିଶ୍ୱାସ ଓ ଦେଶ ଗଠନର ଭାବନା ବିକଶିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ। ଡ଼. କଲାମଙ୍କ ସ୍ୱପ୍ନ, ଲକ୍ଷ୍ୟ ଓ ନିରନ୍ତର ପ୍ରୟାସର ପ୍ରେରଣାକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବା ମଧ୍ୟ ଏହି ଆୟୋଜନର ଅନ୍ୟତମ ଲକ୍ଷ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଶିଶୁ ସମାଚାରର ପ୍ରତିଷ୍ଠାତା ସମ୍ପାଦକ ସୁକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ପ୍ରତିଯୋଗିତାର କନିଷ୍ଠ ବିଭାଗ ବକ୍ତୃତାରେ ଅବନୀଶ ରଥ, ବିଜୟ ପଣ୍ଡା, ଶଚ୍ଚିକାନ୍ତ ଦାସ ଓ ଅନ୍ନପୂର୍ଣ୍ଣା ରଥ ଏବଂ ବରିଷ୍ଠ ବିଭାଗ ବକ୍ତୃତାରେ ହରିଶଙ୍କର ମିଶ୍ର, ଶିବ ସୁନ୍ଦର ମିଶ୍ର, ଅର୍ଜୁନ ପରମଗୁରୁ ଓ ଶରତ ରାୟଗୁରୁ ବିଚାରକ ଭାବେ ଯୋଗଦେଇଥିଲେ। ଚିତ୍ରାଙ୍କନ ବିଭାଗରେ ନୃସିଂହନାଥ ନାୟକ ଓ ସତ୍ୟ ନାରାୟଣ ପାଢ଼ୀ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।

ଚଳିତ ବର୍ଷ ବିଜ୍ଞାନ ଶିକ୍ଷକ ତଥା ପାଟଳଦା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମଦେବ ପ୍ରଧାନଙ୍କୁ ‘ବିଜ୍ଞାନ ଜ୍ୟୋତି ସମ୍ମାନ’ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଲୁଖଣ୍ଡ, ପୁରୀର ଛାତ୍ରୀ ଶେତପଦ୍ମା ଦାଶଙ୍କୁ ‘ନବ ସୃଜନ’ ସମ୍ମାନ ପ୍ରଦାନ କରାଯିବ।

ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୫ ଅକ୍ଟୋବର ଅପରାହ୍ନ ୩ ଘଟିକାରେ ଡ଼. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ତଥା ବିଶ୍ୱ ବିଦ୍ୟାର୍ଥୀ ଦିବସ ଅବସରରେ ପୁରୀ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପୁରସ୍କୃତ କରାଯିବ। ଏହି ଅବସରରେ ଡ଼. ଏପିଜେ ଅବଦୁଲ କଲାମଙ୍କ ଜୀବନୀ ଓ କୃତିତ୍ୱକୁ ନେଇ ଏକ ପ୍ରଶ୍ନମଞ୍ଚ ମଧ୍ୟ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଦାସ ଓ ମାନସ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed