ଧର୍ମଗଡ଼ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ୍”ଉପାନ୍ତ ଖବର”:
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ଗତ କିଛିଦିନ ତଳେ ମୂଷାପାଲି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ବାଙ୍ଗାଲୋରରେ ମୃତ୍ୟୁ ହୋଇଥିବାବେଳେ ମାସେ ନପୂରୁଣୁ ପୁଣି ଜଣେ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକ ସହ ଦାଦନ ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।ମୃତ ଶ୍ରମିକ ଜଣକ ହେଲେ କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମର ତ୍ରିଲୋଚନ ମଙ୍ଗରାଜ (୩୬)। ସୂଚନା ଅନୁଯାୟୀ, ଗାଁରେ କାମଧନ୍ଦାର ଅଭାବ ଯୋଗୁଁ ପରିବାର ପ୍ରତିପୋଷଣ ଓ ଦୁଇ ପଇସା ରୋଜଗାର ଆଶାରେ କିଛି ମାସ ପୂର୍ବେ ସେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଏକ ଠିକା ସଂସ୍ଥା ଅଧୀନରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।ତେବେ ଗତ କିଛିଦିନ ହେବ ତ୍ରିଲୋଚନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ମୃତ୍ୟୁର ପୂର୍ବଦିନ ସେ ଅସୁସ୍ଥ ଥିବା ନେଇ ଫୋନ୍ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇପାରିନଥିଲା। ଫଳରେ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କ ରହୁଥିବା ଘରର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ।ଘର ମାଲିକ ଯାଇ ଦେଖିବାବେଳକୁ ଘର ଭିତର ପଟୁ ବନ୍ଦ ରହିଥିଲା। ପରେ ସ୍ଥାନୀୟ ଲୋକ ଓ ପୋଲିସଙ୍କ ଉପସ୍ଥିତିରେ କବାଟ ଖୋଲାଯିବା ପରେ ତ୍ରିଲୋଚନଙ୍କୁ ଶୋଇଥିବା ଅବସ୍ଥାରେ ମୃତ ଦେଖିବାକୁ ମିଳିଥିଲା। ଏନେଇ ଘର ମାଲିକ ପରିବାରକୁ ଖବର ଦେଇଥିଲେ। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଶୁକ୍ରବାର ମୃତଦେହ ତାଙ୍କ ଜନ୍ମମାଟି ଗମ୍ଭାରୀଗୁଡାକୁ ଫେରିଥିଲା।ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାରବର୍ଗଙ୍କ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ତ୍ରିଲୋଚନ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ଅକାଳ ବିୟୋଗରେ ସ୍ତ୍ରୀ ଓ ତିନି ଝିଅ ଏବେ ଅସହାୟ ହୋଇପଡ଼ିଛନ୍ତି। ପରିବାରର ଭବିଷ୍ୟତକୁ ନେଇ ଗଭୀର ଚିନ୍ତାରେ ପଡ଼ିଛନ୍ତି ଆତ୍ମୀୟସ୍ୱଜନ।ଅନ୍ୟପକ୍ଷରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ l ତ୍ରିଲୋଚନଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ଅସହାୟ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଓ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଗାଁରେ ରୋଜଗାରର ସୁଯୋଗ ଅଭାବରୁ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇ ଜୀବନ ହରାଉଥିବା ଘଟଣା ପୁଣିଥରେ ଦାଦନ ସମସ୍ୟା ଓ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପ୍ରଶାସନର ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି।
