ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ…..
ଯୁଯୁମୁରା, ୨୭.୧୧: ବିଜ୍ଞାନ କେବଳ ପାଠ୍ୟପୁସ୍ତକରେ ସୀମିତ ନୁହେଁ। ଏହା ହେଉଛି ଚିନ୍ତା, ଅନୁସନ୍ଧାନ, ପରୀକ୍ଷଣ ଓ ନୂତନ କିଛି ସୃଷ୍ଟି କରିବାର ଏକ ଅବିରତ ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବୈଜ୍ଞାନିକ ମନୋଭାବ ଓ ସୃଜନଶୀଳତାର ବିକାଶ ଲକ୍ଷ୍ୟରେ ଜୟନ୍ତପୁର ଉଚ୍ଚ ବିଦ୍ୟାଳୟଠାରେ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ବିଜ୍ଞାନଭିତ୍ତିକ ୧୮୮ ଟି ପ୍ରକଳ୍ପ ଓ ସୃଜନଶୀଳ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ।ସକାଳ ଉଦ୍ଘାଟନୀ ସମାରୋହରେ ଯୁଯୁମୁରା ବିଡିଓ ରାଜେଶ କୁମାର ଏକ୍କା ମୁଖ୍ୟ ଅତିଥି, ଶେଷ କିସାନ ମୁଖ୍ୟବକ୍ତା, ଏଡିଇଓ ଉଜାଗର ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଗଣେଶ ତାଣ୍ଡିଆ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୁଳଧର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଇଓ ସୁଜିତ ଲୁହା ସଭାପତିତ୍ୱ କରିଥିବାବେଳେ ଜୟନ୍ତପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦେବକୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଅପରାହ୍ନ ଉଦ୍ଯାପନୀ ସମାରୋହରେ ଜୟନ୍ତପୁର ସରପଞ୍ଚ ଆରତୀ ତାଣ୍ଡିଆ ମୁଖ୍ୟ ଅତିଥି ଓ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଉଦିତ ପଟଯୋଶୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, ଶିଶୁ ମଙ୍ଗଳ ସମିତି ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ, ଏସ୍ଏମ୍ସି ସଭାପତି ସୁଧାଂଶୁ ଶେଖର ସାହୁ ଓ ଯୁଯୁମୁରା ଏବିଇଓ ସଞ୍ଜୁକ୍ତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଇଓ ସୁଜିତ ଲୁହା ସଭାପତିତ୍ୱ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଦେବକୀ ବେହେରା କାର୍ଯ୍ୟକ୍ରମର ସମ୍ୟକ ବିବରଣୀ ପ୍ରଦାନ କରିଥିବାବେଳେ ଏବିଇଓ ସଞ୍ଜୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅତିଥି ପ୍ରଫୁଲ୍ଲ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ବିଜ୍ଞାନକୁ କେବଳ ମୁଖସ୍ଥ କରିବା କିମ୍ବା ବିଜ୍ଞାନୀଙ୍କ ନାମ ମନେ ରଖିବାରେ ସୀମିତ ନରଖି ନିଜେ ବିଜ୍ଞାନକୁ ବୁଝିବା, ତିଆରି କରିବା ଓ ନୂତନ ଉଦ୍ଭାବନ ପାଇଁ ପ୍ରୟାସ କରିବା ଆବଶ୍ୟକ। ଅନ୍ୟପକ୍ଷରେ ମୁଖ୍ୟବକ୍ତା ଉଦିତ ପଟଯୋଶୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କ ଜ୍ଞାନ, ଯୁକ୍ତି ଓ ବୈଜ୍ଞାନିକ ଚିନ୍ତନକୁ ପରଖିବା ସହ ଜିଜ୍ଞାସୁ ହେବାକୁ ପ୍ରେରଣା ଦେଇଥିଲେ।ଶିଶୁ ମଙ୍ଗଳ ସମିତି ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ଶିକ୍ଷା ଓ ମାନସିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଦୁଃଖ, ଶୋକ, ଅଭାବ, ଅସୁବିଧା କିମ୍ବା ମାନସିକ ଚାପରେ ପଡ଼ି କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ ନୁହେଁ। ନିଜ ସମସ୍ୟାକୁ ମନ ଭିତରେ ଚାପି ନରଖି ଅଭିଭାବକ, ଶିକ୍ଷକ, ପାଖପଡ଼ୋଶୀଙ୍କ ସହ ଖୋଲାଖୋଲି ଆଲୋଚନା କରି ସହଯୋଗ ନେବାକୁ ସେ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ଶିଶୁ ସହାୟତା ନମ୍ବର ୧୦୯୮ର ସହାୟତା ନେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ ସମିତି ପ୍ରତ୍ୟେକ ଶିଶୁଙ୍କୁ ଉପଯୁକ୍ତ ଶିକ୍ଷା ଓ ସୁରକ୍ଷା ଯୋଗାଇ ମୁଖ୍ୟସ୍ରୋତରେ ସାମିଲ କରି ସୁନାଗରିକ ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧ ବୋଲି ସେ କହିଥିଲେ। ପ୍ରତ୍ୟେକ ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାର ଅନ୍ୱେଷଣ ଓ ବିକାଶ କରିବା ସମାଜର ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ।କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଅକ୍ଷୟ କୁମାର ପରିମାଣିକ,ଏ.ସା ଓ ମନୋହର କାଲୋ। ଏହାର ସଫଳ ଆୟୋଜନରେ ରଞ୍ଜନ କୁମାର ନାୟକ, ଅକ୍ଷୟ ସାଗର ବେହେରା, ବାସୁଦେବ ବେହେରା, ଦେବାନନ୍ଦ ମିର୍ଦ୍ଧାଙ୍କ ସମେତ ବ୍ଲକର ସମସ୍ତ ସିଆରସିସି ଓ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ବିଜ୍ଞାନ ପ୍ରଦର୍ଶନୀ କେବଳ ପ୍ରକଳ୍ପ ପ୍ରଦର୍ଶନର ମଞ୍ଚ ନୁହେଁ, ବରଂ ଶିଶୁଙ୍କ ମନରେ ପ୍ରଶ୍ନ ପଚାରିବା, ନୂତନ ଚିନ୍ତା କରିବା ଓ ନିଜ ପ୍ରତିଭାକୁ ପ୍ରକାଶ କରିବାର ଏକ ସୁଯୋଗ। ଏଭଳି ଆୟୋଜନ ଭବିଷ୍ୟତରେ ବୈଜ୍ଞାନିକ ମନୋଭାବସମ୍ପନ୍ନ, ଆତ୍ମବିଶ୍ୱାସୀ ଓ ଦାୟିତ୍ୱବାନ ନାଗରିକ ଗଠନରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିଲା।
