September 30, 2026

ଗଜପତି:-ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ

IMG-20260929-WA0070
Share

 

ପାରଳାଖେମୁଣ୍ଡି ସେଞ୍ଚୁରିଅନ ୟୁନିଭର୍ସିଟିର ଉଦ୍ୟମରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ଆଜି ବିଶ୍ୱ ଜଳାତଙ୍କ ଦିବସ ଉତ୍ସାହ ଓ ସଚେତନତାର ସହ ପାଳିତ ହୋଇଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟତଃ ଜଳାତଙ୍କ ରୋଗର ପ୍ରତିରୋଧ, ଟିକାକରଣ ଏବଂ ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ହସ୍ପିଟାଲର ଜିଲ୍ଲା ଏପିଡେମିଓଲୋଜିଷ୍ଟ ଡା. ସାବିତ୍ରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ବେଳେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ପାରଳାଖେମୁଣ୍ଡିର ଭେଟେରିନାରୀ ସର୍ଜନ ଡା. ବି. ସାଇ ସନ୍ଦୀପ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ପାରଳାଖେମୁଣ୍ଡି ପୌରପାଳିକାର ସାନିଟେସନ୍ ଇନ୍ସପେକ୍ଟର ଶ୍ରୀ ଏମ୍. ଧନେଶ୍ୱର ରାଓ, ସେଞ୍ଚୁରିଅନ ୟୁନିଭର୍ସିଟିର ରେଜିଷ୍ଟ୍ରାର ଡ. ଅନିତା ପାତ୍ର, ଡିନ୍ (ଆଡମିନିଷ୍ଟ୍ରେସନ୍) ଡ. ଏସ୍. ପି. ନନ୍ଦ, ସ୍କୁଲ୍ ଅଫ୍ ଭେଟେରିନାରୀ ଆଣ୍ଡ ଆନିମଲ୍ ସାଇନ୍ସସ୍‌ର ଡିନ୍ ପ୍ରଫେସର ସୁରେଶ ସୁବ୍ରମୋନିଆନ୍, ସ୍କୁଲ୍ ଅଫ୍ ନର୍ସିଂର ପ୍ରିନ୍ସିପାଲ୍ ଡା. ଏସ୍. ଏନ୍. ସଂନ୍ଧ୍ୟା ଏବଂ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଡ. ଏସ୍. ପି. ନନ୍ଦ ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସ୍କୁଲର ଶିକ୍ଷୟିତ୍ରୀ ସୁଶ୍ରୀ ରିତୁପର୍ଣ୍ଣା ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ଏହି ଅବସରରେ ବକ୍ତାମାନେ ଜଳାତଙ୍କ ଏକ ଭୂତାଣୁ ଜନିତ ଅତ୍ୟନ୍ତ ଗୁରୁତର ସଂକ୍ରାମକ ରୋଗ ହୋଇଥିଲେ ମଧ୍ୟ ଉପଯୁକ୍ତ ସଚେତନତା ଓ ଟିକାକରଣ ଦ୍ୱାରା ଏହାକୁ ପ୍ରତିରୋଧ କରାଯାଇପାରିବ ବୋଲି କହିଥିଲେ। ବିଶେଷକରି କୁକୁର କିମ୍ବା ଅନ୍ୟ ପଶୁ କାମୁଡ଼ିଲେ ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ଚିକିତ୍ସା ନେବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଟିକା ଗ୍ରହଣ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ପଶୁମାନଙ୍କର ନିୟମିତ ଜଳାତଙ୍କ ଟିକାକରଣ ଦ୍ୱାରା ଏହି ରୋଗର ସଂକ୍ରମଣକୁ ରୋକାଯାଇପାରିବ। ତେଣୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଜଳାତଙ୍କର ପ୍ରତିରୋଧ, ସୁରକ୍ଷିତ ଆଚରଣ ଓ ଟିକାକରଣର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ଜଳାତଙ୍କ ମୁକ୍ତ ସମାଜ ଗଠନ ପାଇଁ ସଚେତନତା ଜରୁରୀ ଏହା ବୁଝାଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ।

କାର୍ଯ୍ୟକ୍ରମ ମାଧ୍ୟମରେ “ସଚେତନତା ଓ ଟିକାକରଣ ହିଁ ଜଳାତଙ୍କ ପ୍ରତିରୋଧର ପ୍ରମୁଖ ଅସ୍ତ୍ର” ସମ୍ପର୍କିତ ବାର୍ତ୍ତାକୁ ଉପସ୍ଥିତ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ସେଞ୍ଚୁରିଅନ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ନର୍ସିଂ ଏବଂ ଭେଟେରିନାରୀ ସାଇନ୍ସସ୍‌ର ଛାତ୍ରଛାତ୍ରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଶେଷରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଶ୍ରୀମତୀ ସୁନୀତା ପାଣିଗ୍ରାହୀ ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ମୋହିନୀ ମାଝୀ ଧନ୍ୟବାଦ ଅର୍ପଣ କରି ସମସ୍ତ ବିଶିଷ୍ଟ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————