September 26, 2026

ଦୁବାଇ ମାଟିରେ ୧ ଟଙ୍କିଆ ସଂଗୀତ ସ୍କୁଲ ଟିମ୍ :ସ୍ୱାଗତ କଲେ ନୂଆଁଖାଇ ପରିବାର ସଦସ୍ୟ ପ୍ରଶାନ୍ତ ଓ ଦିନେଶ

IMG-20260926-WA0028
Share

ପଦ୍ମପୁର, ୨୬ା୧୦ : (ଜୟନ୍ତ କୁମାର ସେଠ)ମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ଦୁବାଇ ମାଟିରେ ଏବେ ଶୁଭିବ ସମ୍ବଲପୁରୀ ସଙ୍ଗୀତର ସୁର ଓ ନୃତ୍ୟର ତାଳ। ଚଳିତ ବର୍ଷର ନୂଆଁଖାଇ ଭେଟଘାଟକୁ ଆହୁରି ରଙ୍ଗାରଙ୍ଗ ଓ ଆକର୍ଷଣୀୟ କରିବା ପାଇଁ ନୂଆଁଖାଇ ପରିବାର, ଦୁବାଇ ପକ୍ଷରୁ ପଦ୍ମପୁର ଅଞ୍ଚଳର ପ୍ରସିଦ୍ଧ ୧ ଟଙ୍କିଆ ସଂଗୀତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି।ଏହି ଅବସରରେ ୧ ଟଙ୍କିଆ ସଂଗୀତ ସ୍କୁଲର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଦୁବାଇ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ନୂଆଁଖାଇ ପରିବାରର ସଦସ୍ୟ ପ୍ରଶାନ୍ତ କୁମାର ମେହେର ଓ ଦିନେଶ ନାଏକ।ନୂଆଁଖାଇର ପରମ୍ପରା ଓ ମାଟିର ମହକକୁ ବିଦେଶ ମାଟିରେ ପହଞ୍ଚାଇବା ଲକ୍ଷ୍ୟରେ ସୁରେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀମାନେ ସାଙ୍ଗରେ ନେଇଯାଇଛନ୍ତି ନୂଆଁ ଧାନ, କୁରେ ପତ୍ର, କୁଲା ଓ ନୂଆଁ ଚରା। ଏହା ମାଧ୍ୟମରେ ଦୁବାଇ ମାଟିରେ ମଧ୍ୟ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରମ୍ପରାର ମହକ ଅନୁଭୂତ ହେବ।ପଦ୍ମପୁର ମାଟିରୁ ଆରମ୍ଭ ହୋଇଥିବା ୧ ଟଙ୍କିଆ ସଂଗୀତ ସ୍କୁଲର ଏହି ଅଭିନବ ପ୍ରୟାସ ଏବେ ବିଦେଶ ମାଟିରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ଓ ପ୍ରସାରର ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ନୂଆଁଖାଇ ଭେଟଘାଟରେ ଛାତ୍ରଛାତ୍ରୀମାନଙ୍କ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଦୁବାଇରେ ଉପସ୍ଥିତ ପ୍ରବାସୀ ଓଡ଼ିଆ ଏବଂ ସମ୍ବଲପୁରୀପ୍ରେମୀଙ୍କ ମନ ଜିଣିବ ବୋଲି ଆଶା ପ୍ରକାଶ ପାଇଛି।ଦୁବାଇ ମାଟିରେ ନୂଆଁଖାଇର ମହକ, ସମ୍ବଲପୁରୀ ସୁରର ଝଙ୍କାର ଓ ନୃତ୍ୟର ତାଳରେ ଝୁମିବେ ପ୍ରବାସୀ ସମ୍ବଲପୁରୀଆ।

You may have missed