ନାଲକୋ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ: ଗ୍ରାମୀଣ କାରିଗରଙ୍କ ଉତ୍ପାଦକୁ ମିଳିବ ବଜାର
ଅନୁଗୋଳ: ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳର ନାଲକୋ ପଲ୍ଲୀଶ୍ରୀ ମେଳା ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା। ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ORMAS ପକ୍ଷରୁ ଆୟୋଜିତ ଏହି ମେଳାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଗ୍ରାମୀଣ କାରିଗର, ଉଦ୍ୟୋଗୀ, କୃଷକ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଉତ୍ପାଦ ପ୍ରଦର୍ଶିତ ହେଉଛି।
ଉଦ୍ଘାଟନୀ ଉତ୍ସବରେ ପାଲଲହଡ଼ା ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଶୋକ ମହାନ୍ତି ମେଳାର ଉଦ୍ଘାଟନ କରିଥିଲେ, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାପାଳ ଅବଦାଲ୍ ଏମ୍. ଅଖତାର, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ନାଲକୋ ଅନୁଗୋଳର ନିର୍ବାହୀ ନିର୍ଦ୍ଦେଶକ ପ୍ରଣବ ଦାସ, CGM ହିମାଂଶୁ ଶେଖର ପ୍ରଧାନ, ନାଲକୋ ଆଲୁମିନିୟମ ମଜଦୁର ସଂଘର ସଭାପତି ମୁନା ସାମଲଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।
ସେପ୍ଟେମ୍ବର ୧୭ରୁ ୨୪ ପର୍ଯ୍ୟନ୍ତ ମେଳା
ସେପ୍ଟେମ୍ବର ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ପ୍ରସ୍ତୁତି ସାମଗ୍ରୀ ସମେତ ବିଭିନ୍ନ ଗ୍ରାମୀଣ ଉତ୍ପାଦର ଷ୍ଟଲ୍ ଖୋଲାଯାଇଛି। ଗ୍ରାମୀଣ ଉତ୍ପାଦକମାନେ ନିଜ ଉତ୍ପାଦକୁ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ସହ ଉଚିତ ମୂଲ୍ୟ ପାଇବାର ସୁଯୋଗ ପାଇବେ।
ଗ୍ରାମୀଣ କଳା ଓ ସଂସ୍କୃତିର ଝଲକ
ପଲ୍ଲୀଶ୍ରୀ ମେଳା କେବଳ କିଣାବିକାର ମଞ୍ଚ ନୁହେଁ, ଏହା ଓଡ଼ିଶାର ଗ୍ରାମୀଣ କଳା, ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବାର ଏକ ପ୍ରମୁଖ ମାଧ୍ୟମ। ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ, ଗ୍ରାମୀଣ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ମାଧ୍ୟମରେ ଓଡ଼ିଶାର ପଲ୍ଲୀ ଜୀବନର ଚିତ୍ର ଏଠାରେ ପ୍ରତିଫଳିତ ହେଉଛି।
ମହିଳା ଏସ୍ଏଚ୍ଜି ଓ ଯୁବ ଉଦ୍ୟୋଗୀଙ୍କୁ ମିଳିବ ସୁଯୋଗ
ଏହି ମେଳା ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଯୁବ ଉଦ୍ୟୋଗୀ ଓ ଛୋଟ ଉତ୍ପାଦକଙ୍କ ପାଇଁ ମଧ୍ୟ ଏକ ବଡ଼ ବ୍ୟବସାୟିକ ମଞ୍ଚ ସୃଷ୍ଟି କରିଛି। ନିଜ ଉତ୍ପାଦର ପ୍ରଚାର, ବିକ୍ରି ଓ ନୂଆ ଗ୍ରାହକ ସୃଷ୍ଟି କରିବାରେ ଏହା ସହାୟକ ହେବ।
ଗ୍ରାମୀଣ ଉଦ୍ୟମିତାକୁ ପ୍ରୋତ୍ସାହନ, ସ୍ୱାବଲମ୍ବନକୁ ସୁଦୃଢ଼ କରିବା ଓ ପଲ୍ଲୀ ଅଞ୍ଚଳର ଉତ୍ପାଦକୁ ବଡ଼ ବଜାର ସହ ଯୋଡ଼ିବା ଦିଗରେ ଏହି ପଲ୍ଲୀଶ୍ରୀ ମେଳା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହେଉଛି।
