ମଧ୍ୟସ୍ଥତାରେ ମାମଲା ସମାଧାନ ପାଇଁ ଦେଶବ୍ୟାପୀ ଅଭିଯାନ ସମ୍ବଲପୁରରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଶିବିର; ବିଚାରାଧୀନ ମାମଲାର ସରଳ ଓ ଦେୟମୁକ୍ତ ସମାଧାନର ସୁଯୋଗ
ସମ୍ବଲପୁର, ୧୮/୯ : ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ରହିଥିବା ମାମଲାଗୁଡ଼ିକର ସରଳ, ସହଜ ଓ ପାରସ୍ପରିକ ସମ୍ମତିଭିତ୍ତିକ ସମାଧାନ ପାଇଁ ସମଗ୍ର ଦେଶରେ ମଧ୍ୟସ୍ଥତା ମାଧ୍ୟମରେ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି। ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଏହି ଅଭିଯାନ ଚାଲୁଥିବା ବେଳେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଏହାକୁ ଗୁରୁତ୍ୱର ସହ ଆଗେଇ ନିଆଯାଉଛି।
ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ-ସଚିବ ଏବଂ ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସମ୍ବଲପୁରଠାରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ ଚାଲୁଛି।
ଏହି ଅଭିଯାନ ମାଧ୍ୟମରେ ପାରିବାରିକ ଓ ରଫାଯୋଗ୍ୟ ବିବାଦ, ଘରୋଇ ହିଂସା ସମ୍ବନ୍ଧୀୟ ମାମଲା, ବ୍ୟାଙ୍କ ଓ ଚେକ୍ ବାଉନ୍ସ ମାମଲା, ମୋଟର ଦୁର୍ଘଟଣା ମାମଲା, ରଫାଯୋଗ୍ୟ ଫୌଜଦାରୀ ମାମଲା, ଭୂ-ଅଧିଗ୍ରହଣ ସମ୍ବନ୍ଧୀୟ ବିବାଦ, ସମ୍ପତ୍ତି ବଣ୍ଟନ ବିବାଦ, ଉଚ୍ଛେଦ ମାମଲା ଆଦିର ସମାଧାନ ପାଇଁ ଶିବିର ଆୟୋଜନ କରାଯାଉଛି।ଏହା ବ୍ୟତୀତ ବାଣିଜ୍ୟ ଅଦାଲତରେ ଥିବା ଉପଯୁକ୍ତ ମାମଲା, ନିଯୁକ୍ତି ସମ୍ପର୍କିତ ବିବାଦ, ଶ୍ରମ ଅଧିନିୟମ ଓ ଚୁକ୍ତି ଅଧିନିୟମ ସମ୍ବନ୍ଧୀୟ ମାମଲା, ଖାଉଟି ଅଦାଲତରେ ଥିବା ବିବାଦ ମଧ୍ୟ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯିବାର ବ୍ୟବସ୍ଥା ରହିଛି।
ଅଦାଲତରେ ମାମଲାର ଦୀର୍ଘ ବିଚାର ପ୍ରକ୍ରିୟା ଅପେକ୍ଷା ଅଭିଜ୍ଞ ମଧ୍ୟସ୍ଥଙ୍କ ସହାୟତାରେ ପକ୍ଷମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଦୂର କରି ଆପୋସ ଓ ନିରପେକ୍ଷ ଭାବେ ସମାଧାନର ରାସ୍ତା ବାହାର କରାଯିବ। ଏହି ପ୍ରକ୍ରିୟାରେ ବିବାଦର ସୃଜନାତ୍ମକ ସମାଧାନ ମାଧ୍ୟମରେ ମାମଲାର ପରିସମାପ୍ତି ଲକ୍ଷ୍ୟ ରହିଛି।ମଧ୍ୟସ୍ଥତା ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବା ବେଳେ ଏହା ମାମଲାରେ ଜଡ଼ିତ ପକ୍ଷମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଧାରିବା ସହ ପାରସ୍ପରିକ ବୁଝାମଣା ବଢ଼ାଇବାରେ ସହାୟକ ହେବ।
ମଧ୍ୟସ୍ଥତା ମାଧ୍ୟମରେ ମାମଲାର ସମାଧାନ ହେଲେ ପକ୍ଷମାନଙ୍କର ଦୀର୍ଘ ସମୟ, ଶ୍ରମ ଓ ଅର୍ଥ ବ୍ୟୟରୁ ମୁକ୍ତି ମିଳିପାରିବ। ତେଣୁ ମଧ୍ୟସ୍ଥତା ଅଭିଯାନର ସୁଯୋଗ ନେଇ ଉପଯୁକ୍ତ ମାମଲାଗୁଡ଼ିକର ଶୀଘ୍ର ଓ ସହମତିଭିତ୍ତିକ ସମାଧାନ ପାଇଁ ପକ୍ଷମାନେ ଆଗେଇ ଆସିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସମ୍ବଲପୁର ପକ୍ଷରୁ ଆହ୍ୱାନ କରାଯାଇଛି।
