ସାହାରା ବ୍ୟବସାୟୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଗରିବ ଓ ଅସହାୟଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ
ଭୁବନେଶ୍ୱର (ଦେବାଶିଷ ଦାଶ )
ସାହାରା ବ୍ୟବସାୟୀ ସଂଘ ପକ୍ଷରୁ ବିଶ୍ୱ ନିର୍ମାତା ତଥା ଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀ ଜହର ଅଲି, ସମ୍ପାଦକ ଶ୍ରୀ ରୁଦ୍ର ପ୍ରତାପ ସାହୁ, ଉପ-ସଭାପତି ପରୱାନା ପରବିନ୍ ଏବଂ କୋଷାଧ୍ୟକ୍ଷ ସପନେଶ୍ୱର ବେହୁରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପୂଜା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
ଏହି ଅବସରରେ ଏକ ମହତ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ‘ସୁଭଦ୍ରା ଟ୍ରକ ମାଲିକ ମହାସଂଘ’ ଏବଂ ‘ଅଲ୍ ଓଡ଼ିଶା ମେକାନିକାଲ୍ ମହାସଂଘ’ର ଆଗଧାଡ଼ିର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଗରିବ ତଥା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହା ସହିତ ମହିଳାମାନଙ୍କୁ ଶାଢ଼ି ଏବଂ ପୁରୁଷମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ସ୍ଥାନୀୟ କର୍ପୋରେଟର ଶ୍ରୀ ନୁର୍ ହାସନ୍, ଶ୍ରୀ ଭୋଳାନାଥ ମହାରଣା ଏବଂ ଭୁବନେଶ୍ୱର ଟ୍ରକ ମାଲିକ ମହାସଂଘର ସଭାପତି ତଥା ବିଶିଷ୍ଟ ଯୁବ ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ ବାରିସଲ ଯୋଗଦେଇ ଆୟୋଜକଙ୍କ ଏଭଳି ସମାଜସେବା ମୂଳକ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ସଂଘର ବହୁ ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
