September 17, 2026

ହୁମ୍ମାରେ ଅନୁଷ୍ଠିତ ହେଲା ଶ୍ରୀ ଗଣେଶ ମହୋତ୍ସବ ନୃତ୍ୟ-ସଙ୍ଗୀତ, ନାଟକ, ପ୍ରବଚନ ଓ ଭଜନ ସନ୍ଧ୍ୟାରେ ଝୁମିଲେ ଦର୍ଶକ

IMG-20260917-WA0149
Share

 

ହୁମ୍ମା: (୧୭/୦୯) ଭକ୍ତି, କଳା ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ମଧ୍ୟରେ ହୁମ୍ମାଠାରେ ଚାରିଦିନ ବ୍ୟାପୀ ଶ୍ରୀ ଗଣେଶ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। କୃପାସିନ୍ଧୁ ସଙ୍ଗୀତ ଓ ସାଂସ୍କୃତିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଚାରିଦିନ ଧରି ଭକ୍ତିରସ, ସଙ୍ଗୀତ, ନୃତ୍ୟ, ନାଟକ ଓ ପ୍ରବଚନର ମନୋରମ ପରିବେଶ ସୃଷ୍ଟି ହୋଇଥିଲା।

ମହୋତ୍ସବର ପ୍ରଥମ ଦିନ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୁନି କୁନି ପ୍ରତିଭାଙ୍କ ନୃତ୍ୟ ଓ ସୁମଧୁର ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ଦ୍ୱିତୀୟ ଦିନ ଗୁରୁ ଗଣେଶ ଚନ୍ଦ୍ର ବାରିକଙ୍କ ନିର୍ଦ୍ଦେଶନାରେ ‘ସାତ ପର କଲା ଶଙ୍ଖା ସିନ୍ଦୂର’ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକର କାହାଣୀ, ଅଭିନୟ ଓ ସାମାଜିକ ବାର୍ତ୍ତା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା।

ତୃତୀୟ ଦିନ ପ୍ରବଚକ ଦିବାକର ମହାରାଜଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ପରିବେଷିତ ହୋଇଥିଲା। ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ଓ ମର୍ମସ୍ପର୍ଶୀ ବାଣୀରେ ମହୋତ୍ସବ ପରିସର ଭକ୍ତିମୟ ହୋଇଉଠିଥିଲା।

ମହୋତ୍ସବର ଶେଷ ସନ୍ଧ୍ୟାରେ ହୁସନ୍ ରାଇଜ୍ ଅର୍କେଷ୍ଟ୍ରା ପକ୍ଷରୁ ଆୟୋଜିତ ଭଜନ ସନ୍ଧ୍ୟା ମୁଖ୍ୟ ଆକର୍ଷଣ ପାଲଟିଥିଲା। ଭକ୍ତିମୟ ଭଜନର ସୁର ଓ ସଙ୍ଗୀତର ମାଧୁର୍ଯ୍ୟରେ ପରିବେଶ ଝୁମିଉଠିବା ସହ ଦର୍ଶକମାନେ ଭକ୍ତିରସରେ ବିଭୋର ହୋଇଥିଲେ।

ଏହି ଚାରିଦିନିଆ ମହୋତ୍ସବକୁ ସଫଳ ଓ ସୁଚାରୁ ଭାବେ ସଂଯୋଜନା କରିଥିଲେ ଆଇନଜୀବୀ ଦେବରାଜ ସାହୁ ଓ ତାଙ୍କ ପତ୍ନୀ ନମିତା ସାହୁ। ସେହିପରି ଉପସ୍ଥାପକ ସୁଧୀର କୁମାର ସାହୁ, ପଙ୍କଜ ସାହୁ ଓ ସତ୍ୟବାନ ପଣ୍ଡା କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ତୁଲାଇଥିଲେ।

ଭକ୍ତି ଓ ସଂସ୍କୃତିର ଏହି ମହାମିଳନ ହୁମ୍ମାବାସୀଙ୍କ ମନରେ ଏକ ଅଭୁଲା ସ୍ମୃତି ଛାଡ଼ିଯାଇଥିବା ବେଳେ, ଆୟୋଜକମାନଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

You may have missed