ପାରଳାଖେମୁଣ୍ଡି ସହରର ଗୁଣ୍ଟୁଆରୀ ସାହିରେ ଗଣେଶ ପୂଜା ଅବସରରେ କୁଙ୍କୁମ ପୂଜା୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ
ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ପୌରପରିଷଦର ୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଣ୍ଟୁଆରୀ ସାହିରେ ପବିତ୍ର ଗଣେଶ ପୂଜା ଅବସରରେ ଚତୁର୍ଥ ଦିନରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ କୁଙ୍କୁମ ପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି କୁଙ୍କୁମ ପୂଜାରେ ଗୁଣ୍ଟୁଆରୀ ସାହି ଓ ଆଖପାଖ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ମହିଳା ଉତ୍ସାହର ସହିତ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ପୂଜା ସମୟରେ ମହିଳାମାନେ ଭକ୍ତି ଓ ଶ୍ରଦ୍ଧାର ସହ ପୂଜାରେ ସାମିଲ ହୋଇ ସମାଜର ମଙ୍ଗଳ, ଶାନ୍ତି, ସମୃଦ୍ଧି ଓ ସର୍ବାଙ୍ଗୀଣ ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ।ବିଶେଷକରି ଗୁଣ୍ଟୁଆରୀ ସାହିର ଉନ୍ନତି, ସାହିବାସୀଙ୍କ ମଧ୍ୟରେ ଭାଇଚାରା, ଏକତା ଓ ପରସ୍ପର ସଦ୍ଭାବ ବଜାୟ ରହିବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ଏହି ପୂଜା ଆୟୋଜନ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଥିଲା।
କୁଙ୍କୁମ ପୂଜାକୁ ନେଇ ସାହିରେ ମହିଳାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଏହିପରି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଏକତ୍ରିତ କରିବା ସହ ସାହିରେ ସାମାଜିକ ଏକତା ଓ ସଦ୍ଭାବ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଉପସ୍ଥିତ ମହିଳାମାନେ ମତବ୍ୟକ୍ତ କରିଥିଲେ।
ପୂଜା କାର୍ଯ୍ୟକ୍ରମ ସମ୍ପର୍କରେ ଗଣେଶ ପୂଜା କମିଟିର ସଦସ୍ୟ ଗଙ୍ଗା ବେହେରା, ରମେଶ ଚନ୍ଦ୍ର ବେହେରା, ଖିରୋତ କୁମାର ବେହେରା, ଗୀତା ବେହେରା, ରୂପା ବେହେରା ଓ ପାବନି ବେହେରା ପ୍ରମୁଖ ସୂଚନା ଦେଇଥିଲେ। ସେମାନେ କୁଙ୍କୁମ ପୂଜାର ଆୟୋଜନ, ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସମାଜରେ ଶାନ୍ତି, ଏକତା ଓ ସଦ୍ଭାବ ବଜାୟ ରଖିବାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ସମଗ୍ର କାର୍ଯ୍ୟକ୍ରମଟି ଭକ୍ତିମୟ ଓ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା। ସାହିବାସୀଙ୍କ ସହଯୋଗ ଓ ମହିଳାମାନଙ୍କ ସକ୍ରିୟ ଯୋଗଦାନ ଯୋଗୁଁ କୁଙ୍କୁମ ପୂଜା କାର୍ଯ୍ୟକ୍ରମ ସଫଳ ହୋଇଥିଲା।
