September 17, 2026

ଛତ୍ରପୁରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଶୁଭାରମ୍ଭ ୨୪ ଜଣ ଦିବ୍ୟାଙ୍ଗଙ୍କୁ ସ୍କୁଟି ବଣ୍ଟନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୬ ମିଟର ଦୌଡ଼ ସମଗ୍ର ଜିଲ୍ଲାରେ ‘ସେବା ସଂକଳ୍ପ ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ

IMG-20260917-WA0160
Share

K

 

ଛତ୍ରପୁର, ତା. ୧୭/୦୯/୨୬(ଅରୁଣ କୁମାର ପଣ୍ଡା )ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଉପସ୍ଥିତିରେ ଅଭିଯାନର ଶୁଭାରମ୍ଭ ହୋଇଥିଲା।

 

କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ଜନପ୍ରତିନିଧି, ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକେ ଯୋଗଦେଇଥିଲେ। ଏହି ଅବସରରେ ୨୪ ଜଣ ଦିବ୍ୟାଙ୍ଗଙ୍କୁ ସ୍କୁଟି ବଣ୍ଟନ କରାଯାଇଥିଲା। ଏଥିସହ ଛାତ୍ରଛାତ୍ରୀଙ୍କୁ ନେଇ ୭୬ ମିଟର ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

 

ଅଭିଯାନର ଅନ୍ୟତମ ଅଂଶ ଭାବେ ସନ୍ଧ୍ୟାରେ ସମଗ୍ର ଜିଲ୍ଲାରେ ‘ସେବା ସଂକଳ୍ପ ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ମନ୍ଦିର, ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଆକର୍ଷଣୀୟ ରଙ୍ଗୋଲି ସଜାଇ ଦୀପ ପ୍ରଜ୍ୱଳନ କରାଯାଇଥିଲା।

 

ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ହିତାଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମସ୍ତରୀୟ ସଂଘ, କ୍ଲଷ୍ଟରସ୍ତରୀୟ ସଂଘର ମହିଳା ସଦସ୍ୟମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ସେମାନେ ନିଜ ନିଜ ଘରର ଦ୍ୱାରଦେଶରେ ଦୀପ ପ୍ରଜ୍ୱଳନ କରିଥିଲେ।

 

ଏହି ଅଭିଯାନ ମାଧ୍ୟମରେ ଏକ ଆତ୍ମନିର୍ଭରଶୀଳ ଦେଶ ଓ ସମାଜ ଗଠନ, ଜନସେବା ପ୍ରତି ନିରନ୍ତର ସମର୍ପଣ ଏବଂ ସାମାଜିକ ଏକତାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା। ସମଗ୍ର ଗଞ୍ଜାମ ଜିଲ୍ଲାରେ ଜନସହଭାଗିତାରେ ବିଭିନ୍ନ ସେବାମୂଳକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସହ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ପାଳନ କରାଯାଉଛି।

You may have missed