ପାଇପ୍ରେ ଟ୍ୟାପ୍ ନଥିବାରୁ ରାସ୍ତାରେ ବୋହୁଛି ପାଣି ଜଳ ଅପଚୟ ରୋକିବାକୁ ଘଟଣାସ୍ଥଳରେ ପହଞ୍ଚିଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବାଟସିରପୁର ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ସମସ୍ୟା ଦେଖାଦେଇଛି। ପାଇପ୍ରେ ଆବଶ୍ୟକ ଟ୍ୟାପ୍ ବ୍ୟବସ୍ଥା ନଥିବାରୁ ଜଳ ଯୋଗାଣ ସମୟରେ ପାଣି ରାସ୍ତା ଉପରେ ବୋହି ଯାଉଥିବା ଅଭିଯୋଗ ହୋଇଛି। ଫଳରେ ଗୋଟିଏ ପଟେ ପାଣି ଅପଚୟ ହେଉଥିବା ବେଳେ ଅନ୍ୟପଟେ ରାସ୍ତା ମଧ୍ୟ ନଷ୍ଟ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଏହି ସମସ୍ୟା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ବାଟସିରପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ଅଞ୍ଚଳ ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ପାଇପ୍ରୁ ପାଣି ଯୋଗାଣ ପରେ ଠିକ୍ ଭାବେ ପାଇପ୍ ବନ୍ଦ କରିବା, ଆବଶ୍ୟକ ସ୍ଥାନରେ ଟ୍ୟାପ୍ ଲଗାଇବା ଏବଂ ଜଳ ଅପଚୟ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭବିଷ୍ୟତରେ ଅଞ୍ଚଳରେ ପାଣିର ଅଭାବ ଯେପରି ନ ହୁଏ, ସେଥିପାଇଁ ଜଳର ସୁବ୍ୟବସ୍ଥିତ ବ୍ୟବହାର ଓ ଯୋଗାଣ ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଆଣିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପାଇପ୍ରେ ଟ୍ୟାପ୍ ନଥିବାରୁ ଯୋଗାଣ ସମୟରେ ପାଣି ରାସ୍ତା ଉପରେ ବୋହି ଯାଉଛି। ଏହାଦ୍ୱାରା ରାସ୍ତା ଖରାପ ହେବା ସହ ବହୁ ପରିମାଣରେ ପାଣି ଅପଚୟ ହେଉଛି। ତେଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଜଳ ଅପଚୟକୁ ରୋକିବା ପାଇଁ ଦାବି ହୋଇଛି।
ବିଧାୟକଙ୍କ ଏହି ଗସ୍ତ ସମୟରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, ବରିଷ୍ଠ ନେତା ଗଜପତି ରାଓଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
