ଶେଷରେ ତୁର୍କେଲ ସେତୁ ପୁନଃ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସହର ଠାରୁ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରକୁ ସଂଯୋଗ କରୁଥିବା ପ୍ରମୁଖ ରାଜରାସ୍ତାଟି ଓଡିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ଏକ ପ୍ରମୁଖ ବାଣୀଜ୍ୟିକ କରିଡର ପାଲଟିଥିବା ବେଳେ, ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତୁର୍କେଲ ଗ୍ରାମ ନିକଟ ଦେଇ ବହି ଯାଇଥିବା ତେଲ ନଦୀ ଉପରେ ଥିବା ପ୍ରାୟ ୧ କି.ମି ଦୈର୍ଘ୍ୟ ବିଶିଷ୍ଟ ତୁର୍କେଲ ସେତୁଟି ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ପଟେ ଦବିଯିବା କାରଣରୁ ସୁରକ୍ଷା ଦୃଷ୍ଟିରୁ ୨୭ ସେପ୍ଟେମ୍ବର ୨O୨୫ ରେ ପୂର୍ତ୍ତ ବିଭାଗ ଦ୍ୱାରା ସମସ୍ତ ପ୍ରକାରର ଯାନବାହାନ ଚଳାଚଳକୁ ନେଇ ସମ୍ପୂର୍ଣ ରୂପେ ନିଷେଦ୍ଧ କରିଦିଆଯାଇଥିଲା। ଏଥିଯୋଗୁଁ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ବାଣୀଜ୍ୟିକ କାରବାର ମନ୍ଥର ହେବାସହ ଦୁଇ ଜିଲ୍ଲାର ସାଧାରଣ ଜନତା ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ। କିନ୍ତୁ ସରକାର ଏହି ଗୁରୁତର ସମସ୍ୟାର ଯଥାଶୀଘ୍ର ସମାଧାନ ଦିଗରେ କୌଣସି ପ୍ରକାରର ପଦକ୍ଷେପ ନନେବା ଯୋଗୁଁ, ଶେଷରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ତୁର୍କେଲ ଠାରେ ଗଣଧାରଣା ଆରମ୍ଭ କରାଯିବା ସହ ଏହି ଗଣଧାରଣାର ଶହେ ଦିନ ପୂର୍ତ୍ତି ଉପଲକ୍ଷେ ତୁର୍କେଲ ଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ପ୍ରାୟ ୩O କି.ମି ପଦଯାତ୍ରା ମଧ୍ୟ କରିଥିଲେ। ଏହାପରେ ୫ ଅକ୍ଟୋବର ୨O୨୬ ରେ ସରକାରଙ୍କ ଦ୍ୱାରା ସେତୁ ନିର୍ମାଣ ପାଇଁ ଅନୁମୋଦନ ମିଳିବା ସହ,୧୧ କୋଟି ୮୯ ଲକ୍ଷ ୮୨ ହଜାର ୭୨୭ ଟଙ୍କା ବ୍ୟୟ ଅଟକଳ କରାଯାଇ ଏହି ସେତୁ କାର୍ଯ୍ୟ କରିବାକୁ ଯାଉଥିବା ଠିକା କମ୍ପାନୀ ସହ ଏକ ବର୍ଷ ମଧ୍ୟରେ ସେତୁ କାର୍ଯ୍ୟ ସମ୍ପୂର୍ଣ କରିବାପାଇଁ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା।ଶେଷରେ ଗତକାଲି ୨୮ ତାରିଖ ଦିନ ତୁର୍କେଲ ସେତୁ ନିକଟରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ତଥା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସେତୁ ପୁନଃ ନିର୍ମାଣର ଶୁଭାରମ୍ଭ କରାଯାଇଛି।

