November 29, 2026

କୁଦୋପାଲି ରଣଭୂମିର ବୀରତ୍ୱ ଗାଥାକୁ ଜନମାନସରେ ପହଞ୍ଚାଇବାକୁ ପ୍ରୟାସବୀର ଛବିଳ ସାଏ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ, ଡିସେମ୍ବର ୧୭ରେ ମଶାଲ ଶୋଭାଯାତ୍ରା ଓ ୩୦ରେ ଜୟନ୍ତୀ ସଭା…..

IMG-20261129-WA0076
Share

ସମ୍ବଲପୁର /କୁଦୋପାଲି, ୨୯. ୧୧: ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଥିବା ସ୍ୱାଧୀନତା ସଂଗ୍ରାମର ବୀରତ୍ୱ, ତ୍ୟାଗ ଓ ବଳିଦାନର ଗାଥାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ସହିତ ସହିଦମାନଙ୍କ ସ୍ମୃତିକୁ ଜନମାନସରେ ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ବୀର ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ମର୍ମରେ କୁଦୋପାଲିଠାରେ କମିଟିର ଏକ ପ୍ରସ୍ତୁତି ବୈଠକ ସଭାପତି ନାଉରୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।ବୈଠକରେ ମୁଖ୍ୟ ସଂଯୋଜକ ଜୟବ୍ରତ ଦେ ପ୍ରାରମ୍ଭିକ ସୂଚନା ଦେଇ କୁଦୋପାଲିର ଐତିହାସିକ ଗୁରୁତ୍ୱ ଏବଂ ବୀର ଛବିଳ ସାଏଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ସ୍ୱାଧୀନତା ସଂଗ୍ରାମର ଇତିହାସରେ କୁଦୋପାଲି ଏକ ଗୌରବମୟ ଓ ସ୍ମରଣୀୟ ସ୍ଥାନ। ଏହି ମାଟିରେ ବୀର ଛବିଳ ସାଏଙ୍କ ସହ ପ୍ରାୟ ୫୩ ଜଣ ବୀର ସଂଗ୍ରାମୀ ଇଂରେଜ ଶାସନ ବିରୋଧରେ ଲଢ଼ି ନିଜର ପ୍ରାଣବଳି ଦେଇଥିବା ଓ ୪ ଜଣଙ୍କୁ ଫାସୀ ଦଣ୍ଡ ଦିଆଯାଇଥିବା ଇତିହାସ ସହ ଏହି ଅଞ୍ଚଳର ପରିଚୟ ଜଡ଼ିତ। ତେଣୁ କୁଦୋପାଲି କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ, ବରଂ ଏହା ସାହସ, ସ୍ୱାଭିମାନ ଓ ଦେଶପ୍ରେମର ଏକ ପବିତ୍ର ରଣଭୂମି। ଏହି ଐତିହାସିକ ଗୌରବକୁ ବ୍ୟାପକ ଭାବେ ପ୍ରଚାରପ୍ରସାର କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ଆସନ୍ତା ଡିସେମ୍ବର ୧୭ ତାରିଖ ପ୍ରଥମ ଯୁଦ୍ଧ ଦିବସକୁ ସ୍ମରଣ କରି ମଶାଲ ଶୋଭାଯାତ୍ରା ଏବଂ ଡିସେମ୍ବର ୩୦ ତାରିଖରେ ବୀର ଛବିଳ ସାଏଙ୍କ ଜୟନ୍ତୀ ସଭା ଆୟୋଜନ କରିବାକୁ ସ୍ଥିର ହୋଇଛି। ଏହି ଦୁଇଟି କାର୍ଯ୍ୟକ୍ରମକୁ କେବଳ ଆନୁଷ୍ଠାନିକ ସଭାରେ ସୀମିତ ନରଖି ଏକ ବ୍ୟାପକ ଜନଜାଗରଣ ଅଭିଯାନର ରୂପ ଦେବାକୁ ମତପ୍ରକାଶ ପାଇଥିଲା।ବିଶେଷକରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ, ଦେଶପ୍ରେମ ଓ ବଳିଦାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ରଚନା, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିସହ ମଶାଲ ଶୋଭାଯାତ୍ରା, ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ହୋଇଛି।ଉଭୟ କାର୍ଯ୍ୟକ୍ରମରେ ବରିଷ୍ଠ ରାଜନେତା, ବିଶିଷ୍ଟ ଗୁଣିଜ୍ଞାନୀ, ସାମ୍ବାଦିକ ଓ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ସ୍ଥିର ହୋଇଛି। ଏହି ଆୟୋଜନକୁ ଅଧିକ ବର୍ଣ୍ଣାଢ଼୍ୟ, ଶୃଙ୍ଖଳିତ ଓ ପ୍ରଭାବଶାଳୀ କରିବା ପାଇଁ ଆସନ୍ତା ୧୧ ତାରିଖ ସନ୍ଧ୍ୟା ୪ଟାରେ ପରବର୍ତ୍ତୀ ରୂପରେଖ ବୈଠକ ଅନୁଷ୍ଠିତ ହୋଇ ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯିବ।ବୈଠକରେ ଲକ୍ଷ୍ମଣ ଦେହୁରୀ, କିଶୋର ମହାକୁଡ଼, ଚନ୍ଦ୍ରଶେଖର ପଣ୍ଡା, ଡା. ରାଜାରାମ ଷଡ଼ଙ୍ଗୀ, ବିଭୂତି ଭୂଷଣ ପାଢ଼ୀ, ପୁଷ୍ପାଞ୍ଜଳି ରାଉତ, ଏମ୍‌ଡି ନୱାବ, ରିଙ୍କି ଲୁହା, ତରଣୀ ସେଠ, ଦୀପକ କୁମ୍ଭାର, ହେମନ୍ତ ରାଉତ, କେଦାରନାଥ ପ୍ରଧାନ, ଭବାନୀ ଶଙ୍କର ସାହୁ, ସଂଯୁକ୍ତା ସେଠ, ଶ୍ୟାମଳ ବିଶ୍ୱାସ, ପ୍ରଦୀପ ସୁପକାର, ପ୍ରତାପ ଶର୍ମା, ପ୍ରବୀଣ କୁମାର ନାୟକ, କାଞ୍ଚନ ଲୁହା, ଅଲିମ କାମଦାର, ଏସ୍‌. ପ୍ରଧାନ, ପୁଷ୍ପାଞ୍ଜଳି ବେହେରା, ପ୍ରଶାନ୍ତ ହାତୀ, ଅଞ୍ଜନା ବାରିକ, ସୈରେନ୍ଦ୍ରୀ ପଧାନ, ଜୟପ୍ରକାଶ ମେହେର ପ୍ରମୁଖ ଯୋଗଦେଇଥିଲେ।କୁଦୋପାଲିର ବୀରତ୍ୱ ଗାଥା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେଉ, ସହିଦମାନଙ୍କ ବଳିଦାନ ଇତିହାସର ଅନ୍ଧାର କୋଣରେ ହଜି ନଯାଉ ଏବଂ ଏହି ମାଟିର ଗୌରବ ଜାତୀୟ ସ୍ତରରେ ପରିଚିତି ଲାଭ କରୁ,ଏହା ହିଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

You may have missed