ବୃଦ୍ଧାବସ୍ଥା ଭତ୍ତା ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ପିଇଓ ଗିରଫ
କୋରାପୁଟ: ବୃଦ୍ଧାବସ୍ଥା ଭତ୍ତା ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ କୋରାପୁଟ ଜିଲ୍ଲାର ଖୁର୍ଜି ପଞ୍ଚାୟତର ପୂର୍ବତନ ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର (ପିଇଓ) ଆଦିତ୍ୟ ଚୋପାଡ଼ିଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଅଭିଯୋଗ ଅନୁସାରେ, ପଞ୍ଚାୟତର ବୃଦ୍ଧବୃଦ୍ଧାଙ୍କ ପାଇଁ ଆସୁଥିବା ଭତ୍ତା ଟଙ୍କାରୁ ପ୍ରାୟ ୮ ଲକ୍ଷ ୯୭ ହଜାର ୫୮୦ ଟଙ୍କା ଆତ୍ମସାତ କରାଯାଇଥିବା ଜଣାପଡ଼ିଛି। ଗରିବ ଓ ବୟସ୍କ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସହାୟତା ଟଙ୍କାରେ ଅନିୟମିତତା ହୋଇଥିବା ଅଭିଯୋଗକୁ ଭିଜିଲାନ୍ସ ଗୁରୁତ୍ୱର ସହ ନେଇ ତଦନ୍ତ କରିଥିଲା।ତଦନ୍ତ ପରେ ପୂର୍ବତନ ପିଇଓ ଆଦିତ୍ୟ ଚୋପାଡ଼ିଙ୍କୁ ଗିରଫ କରାଯାଇଛି। ଭତ୍ତା ଟଙ୍କାର ହିସାବ, ଆର୍ଥିକ କାରବାର ଓ ଏହି ଅନିୟମିତତାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।ବୃଦ୍ଧବୃଦ୍ଧାଙ୍କ ଜୀବନଧାରଣର ଆଧାର ହୋଇଥିବା ଭତ୍ତା ଟଙ୍କା ହଡ଼ପ ଅଭିଯୋଗ ଘଟଣାଟି ସରକାରୀ ଯୋଜନାର ସ୍ୱଚ୍ଛତା ଓ ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠାଇଛି। ଘଟଣାର ସମସ୍ତ ଦିଗକୁ ଭିଜିଲାନ୍ସ ଖୋଳତାଡ଼ କରୁଛି।(ଗୁପ୍ତେଶ୍ୱର ରଥ କୋରାପୁଟ)
