ଆଜି ଠାରୁ ପାଳନ ହେବ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ ତମ ବାର୍ଷିକ ଉତ୍ସବ ସମାରୋହ ‘ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ’..
ଆଜି ଠାରୁ ପାଳନ ହେବ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ ତମ ବାର୍ଷିକ ଉତ୍ସବ ସମାରୋହ ‘ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ’।ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲର ପ୍ରାଚୀନ କଳାସଂସ୍କୃତି, ସାହିତ୍ୟ, ଐତିହ୍ୟ, ପରମ୍ପରା ଆଦିକୁ ବଜାୟ ରଖିବା ଓ ବିଶ୍ବଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟ ନେଇ ଜିଲ୍ଲର ନର୍ଲା ବ୍ଲକ ଅନ୍ତର୍ଗତ ଦେବଗିରି–ବୁଢୀପଦର ଠାରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସଂସ୍ଥା ‘ଦେବଗିରି ସାଂସ୍କୃତିକ ଅନୁଷ୍ଠାନ’ ପକ୍ଷରୁ ୩୪ ତମ ବାର୍ଷିକ ଉତ୍ସବ ସମାରୋହ ‘ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ’ ଆଜି ୨୨ ନଭେମ୍ବର ଠାରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଅବସରରେ ଦେବଗିରି–ବୁଢ଼ୀପଦର ଠାରେ ପ୍ରବଳ ପ୍ରତାପି ମହାରାଜ ଗୋସିଂହ ଦୈତ୍ୟଙ୍କ ରାଜୁତି ଚାଲିବ ଓ ଦରବାର ବସିବ। ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅନୁଷ୍ଠାନର ପତାକା ଉତ୍ତୋଳନ କରାଯିବାପରେ, ମହାରାଜ ଗୋସିଂହ ଦୈତ୍ୟଙ୍କ ଦେବଗିରି ଯାତ୍ରା ଓ ପୂଜାର୍ଚ୍ଚନା ସହ ତାଙ୍କ ରାଜ୍ୟର ବିଭିନ୍ନ ସ୍ଥାନ ପରିଭ୍ରମଣ କାର୍ଯ୍ୟକ୍ରମ ରହିଥିବାବେଳେ,ଦ୍ଵିତୀୟ ଦିବସରେ ମହାରାଜ ଗୋସିଂହ ଦୈତ୍ୟଙ୍କ ଦରବାର ବସିବା ସହ ତାଙ୍କ ରାଜ୍ୟ(ପ୍ରାଚୀନ କଳାହାଣ୍ଡି)ର ବିଭିନ୍ନ ବିଭାଗ ଓ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସନ୍ତାନ(ବ୍ୟକ୍ତି ବିଶେଷ)ମାନଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେଵଗିରି ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ପାରମ୍ପରିକ ବାଦ୍ୟ, ପ୍ରାଚୀନ ଲୋକ ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେବ। ତୃତୀୟ ଦିବସରେ ଦରବାରରେ ରାଜ୍ୟର କୃତି ସନ୍ତାନଙ୍କୁ ବିଭିନ୍ନ ବିଭାଗରେ ‘ଦେବଗିରି ସମ୍ମାନ’ରେ ସମ୍ମାନିତ କରାଯିବ ଓ ଅନୁଷ୍ଠାନର ବାର୍ଷିକ ସମାରୋହ ପାଳନ କରାଯିବ। ଏଥିରେ ମଧ୍ୟ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ କରାଯିବ। ଉତ୍ସବର ଚତୁର୍ଥ ଓ ଶେଷ ଦିନରେ ମଧ୍ୟ ଗୋସିଂହ ଦୈତ୍ୟଙ୍କ ଦରବାର ବସିବା ସହ ‘କୁମାରସ୍ୱାମୀ ମହୋତ୍ସବ’ ପାଳନ କରାଯିବ ଓ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ କରାଯିବ। ଏହି ଉତ୍ସବରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ରେ ସମ୍ମାନିତ କରାଯିବାକୁ ଥିବା ପ୍ରାୟ ପଇଂଚାଲିସ ରୁ ଉର୍ଦ୍ଧ ପତିଭାଙ୍କ ନାମ ଘୋଷଣା କରାଯାଇଛି। ଏନେଇ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।
