କେଶାପାଲିଠାରେ ବହୁମୁଖୀ ଛାୟାପ୍ରଦ ସେଡ୍ ନିର୍ମାଣ ଦାବିଚାଷୀଙ୍କ ଦୁର୍ଦ୍ଦଶା ଦୂର ପାଇଁ ଆର୍ଏମ୍ସି ଅଧ୍ୟକ୍ଷାଙ୍କୁ ଦାବିପତ୍ର
ସମ୍ବଲପୁର, ୨୨. ୧୧: ଧାନ କିଣାବିକା ସମୟରେ ଚାଷୀଙ୍କ ସମସ୍ୟା ଦୂର କରିବା ସହ କୃଷକ ସମାଜର ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ ପାଇଁ କେଶାପାଲିଠାରେ ଏକ ବହୁମୁଖୀ ଛାୟାପ୍ରଦ ସେଡ୍ ନିର୍ମାଣ କରିବାକୁ ଦାବି ହୋଇଛି।ଏ ନେଇ କେଶାପାଲି ଓ ଗୋଡ଼ଲୋଇସିଂହ ଗ୍ରାମପଞ୍ଚାୟତର ଚାଷୀମାନେ ଆର୍ଏମ୍ସି ଅଧ୍ୟକ୍ଷା ତଥା ସମ୍ବଲପୁର ସଦର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉଭୟ ପଞ୍ଚାୟତ ଜିଲ୍ଲାର ଦୁର୍ଗମ ତଥା କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଧାନ ମଣ୍ଡିରେ ଧାନ ବିକ୍ରି ସମୟରେ ଉତ୍ପାଦିତ ଧାନକୁ ସୁରକ୍ଷିତ ରଖିବା ଏବଂ ବିକ୍ରି ପାଇଁ ଅପେକ୍ଷା କରିବା ନିମନ୍ତେ ଉପଯୁକ୍ତ ଆବୃତ ସ୍ଥାନର ଅଭାବ ରହିଛି। ଏଥିସହ ଚାଷୀମାନଙ୍କ ସାମୂହିକ ବୈଠକ ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଛାୟାପ୍ରଦ ସ୍ଥାନ ନାହିଁ।ତେଣୁ ଜୁଜୁମୁରା ଆର୍ଏମ୍ସି ପରିସରରେ ନିର୍ମାଣ ହୋଇଥିବା ଢାଞ୍ଚାରେ କେଶାପାଲିଠାରେ ଏକ ବହୁମୁଖୀ ଏମ୍ଏସ୍ ସିଟ୍ ଛାଉଣିଯୁକ୍ତ ସେଡ୍ ନିର୍ମାଣ ପାଇଁ ଚାଷୀମାନେ ଅନୁଦାନ ମଞ୍ଜୁର କରିବାକୁ ନିବେଦନ କରିଛନ୍ତି। ଏହାଦ୍ୱାରା ଧାନ କିଣାବିକା ସମୟରେ ଚାଷୀଙ୍କୁ ଆଶ୍ୱସ୍ତି ମିଳିବା ସହ କୃଷି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସୁବିଧାରେ ଆୟୋଜନ କରାଯାଇପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।କେଶାପାଲି ଗ୍ରାମପଞ୍ଚାୟତର ସରପଞ୍ଚ ରିକାଞ୍ଜଳି ନିକଙ୍କ ସମେତ ଦୀପକ ବିଶ୍ୱାଲ, ଆଶୀର୍ବାଦ ପ୍ରଧାନ, ଟିକୁ ବିଶ୍ୱାଳ ଓ ଅନ୍ୟାନ୍ୟ ଚାଷୀ ଏହି ଦାବିପତ୍ର ପ୍ରଦାନ କରି ଉପଜିଲ୍ଲାପାଳ ଡ଼ଃ. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଠାରେ ଦାବି କରିଛନ୍ତି।
