୨୪୫ଟି କଳାକାର ଅନୁଷ୍ଠାନର ଅଂଶଗ୍ରହଣ ସହ ଉଦ୍ଯାପିତ ହେଲା ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା
**ପାରଳାଖେମୁଣ୍ଡି, ତା.୧୪.୧୧.୨୦୨୬:ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛଅ ଦିନିଆ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆଜି ଉଦ୍ଯାପିତ ହୋଇଛି। ଏହି ଚୟନ ପ୍ରକ୍ରିୟାରେ ସମୁଦାୟ ୨୪୫ଟି କଳାକାର ଅନୁଷ୍ଠାନର ୪ ହଜାରରୁ ଊର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରି ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ସଂକୀର୍ତ୍ତନ ମଣ୍ଡଳୀ, ଲାଞ୍ଜିଆ ସଉରା ନୃତ୍ୟ, ଶବର-ଶବରୁଣୀ ଆଦିବାସୀ ନୃତ୍ୟ, ଭାରତଲୀଳା, ଭୂତକେଳି, ସାକ୍ଷୀ ନାଚ, ଚଢ଼େୟା-ଚଢ଼େୟାଣୀ ନୃତ୍ୟ, ସତ୍ରା ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଦୁଲଦୁଲି, ମାହାରୀ, ଓଡ଼ିଶୀ ନୃତ୍ୟ, ଭଜନ ଓ ସୁଗମ ସଙ୍ଗୀତ ଆଦି ବିଭିନ୍ନ କଳା ଓ ସାଂସ୍କୃତିକ ପରମ୍ପରାର କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ରହିଥିବା ଲୁକ୍କାୟିତ କଳା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବା। ଏଥିସହ କଳାକାରମାନଙ୍କୁ ବିଭିନ୍ନ ମଞ୍ଚରେ କଳା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯୋଗାଇଦେବା ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଏହି ଉଦ୍ୟମ ପାଇଁ ଅଂଶଗ୍ରହଣକାରୀ କଳାକାରମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ କିଛି କଳାକାର ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରି ନଥିବାରୁ ସେମାନଙ୍କୁ ପୁନର୍ବାର ଆବେଦନ କରିବାର ସୁଯୋଗ ଦେବାକୁ ଅନୁରୋଧ କରା ଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ସହଯୋଗରେ ଏହି ଚୟନ ପ୍ରକ୍ରିୟା ସୁଚାରୁରୂପେ ଆୟୋଜନ କରାଯାଇଥିଲା। ବିଚାରକମାନଙ୍କ ଦ୍ୱାରା କଳାକାରମାନଙ୍କ ପ୍ରଦର୍ଶନର ମୂଲ୍ୟାୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ କଳାକାର, ବିଚାରକ, ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକ ସହଯୋଗ ଏହାକୁ ସଫଳ ଓ ସୁପରିଚାଳିତ କରିବାରେ ସହାୟକ ହୋଇଥିଲା।
