ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ରାସ୍ତାରେ ବହୁଥିଲା ପାଇଖାନା ପାଣି , ପ୍ରତିକାର ବ୍ଯବସ୍ଥା କଲା ପ୍ରଶାସନ
ବୁଗୁଡ଼ା : ତା ୧୪/୧୧/୨୬ : ଏଠାକାର ପ୍ରସିଦ୍ଧ ଐତିହାସିକ ତଥା ପର୍ଯ୍ଯଟନ ସ୍ଥଳୀ ବୁଦ୍ଧଖୋଲ ଅଭିମୁଖେ ଲମ୍ବିଥିବା ସଡ଼କର ପାର୍ଶ୍ବରେ ଡ୍ରେନ ବ୍ଯବସ୍ଥା ନଥିବାରୁ ଲୋକଙ୍କ ଘରର ପାଇଖାନା ଜଳ ଓ ବର୍ଜ୍ୟବସ୍ତୁ ରାସ୍ତା ସାରା ପଡ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିଲା । ଧର୍ମମାସ କାର୍ତ୍ତିକର ପ୍ରତ୍ଯେକ ସୋମବାର ଦିନ ବହୁ ଶ୍ରଦ୍ଧାଳୁ ଏବଂ ଅନେକ ଯାନବାହାନ ବୁଦ୍ଧଖୋଲକୁ ଯାତାୟତ ହେଉଥିଲା । ପୂତିଗନ୍ଧମୟ ପରିବେଶ ଯୋଗୁଁ ଲୋକଙ୍କ ମନରେ ଅଲଗା ପ୍ରକାର ଧାରଣା ସୃଷ୍ଟି ହେଉଥିଲା । ରାସ୍ତାରେ ଭାସୁଥିବା ଦୁର୍ଗନ୍ଧ ପାଣିକୁ ବାଦଦେଇ ଲୋକେ ଯାତାୟତ କରୁଥିବାରୁ ସେହି ସଂକୀର୍ଣ୍ଣ ରାସ୍ତାରେ ଛୋଟମୋଟ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଥିଲା । ଏଭଳି ଅବ୍ଯବସ୍ଥାର ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ ନିମନ୍ତେ ଜନସାଧାରଣଙ୍କ ଦାବି ନେଇ ଗତବର୍ଷ ଡିସେମ୍ବର ମାସରେ ଖବର ପ୍ରସାରଣ ସତ୍ତ୍ୱେ ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହା ରହୁଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରୁଥିଲା । ଖାରିଆ ନାଳ ଏବଂ ଶିଶୁ ଉଦ୍ୟାନ ଅତିକ୍ରମ ପରେ ବୁଗୁଡା ଏନ୍ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୬ ଅନ୍ତର୍ଗତ ବୀରଧନଞ୍ଜୟପୁର ଶାସନ ରାସ୍ତାରେ ଏ ପ୍ରକାର ଦୃଶ୍ୟ ପର୍ଯଟକଙ୍କୁ ଭଲ ବାର୍ତ୍ତା ଦେଉନଥିବା ନେଇ ସାଧାରଣରେ ଆଲୋଚନା ହେଉଥିଲା । ଦୀର୍ଘ ଦିନ ପରେ ବହୁ ବିଳମ୍ବରେ ପ୍ରଶାସନର ସଦବୁଦ୍ଧି ଉଦୟ ହେବା ଫଳରେ ଆଜି ଶନିବାର ଦିନ ରାସ୍ତାକଡରେ ଅସ୍ଥାୟୀ ନର୍ଦ୍ଦମା ଖୋଳାଯାଇ ରାସ୍ତାରେ ଦୁର୍ଗନ୍ଧ ପାଣି ଭାସୁଥିବା ଭଳି ଅବ୍ଯବସ୍ଥାର ପ୍ରତିକାର ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ପ୍ରତିକାରାତ୍ମକ ବ୍ଯବସ୍ଥା କାଳରେ ସେଠାରେ ପୋଲିସ , ଏନ୍ଏସି ଓ ପୂର୍ତ୍ତ ବିଭାଗୀୟ କର୍ମଚାରୀଙ୍କ ସମେତ ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତାଗଣ ଉପସ୍ଥିତ ରହିଥିଲେ।
