September 27, 2026

ଜନଶୁଣାଣିକୁ ଗୁରୁତ୍ବ, : ସୋମବାର ନୋ ମିଟିଂ ଡେ’, ଜରୁରୀ ନ ଥିଲେ ହେବନି ସରକାରୀ ବୈଠକ

IMG-20260927-WA0068
Share

 

 

 

ଭୁବନେଶ୍ବର, ୨୭।୯ : ସୋମବାରକୁ ‘ଅଣ ବୈଠକ ଦିବସ’ ବା ‘No Meeting Day’ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର ।ଏହି ଦିନ ସରକାରୀ କାର୍ଯ୍ୟାଳୟରେ କୌଣସି ବୈଠକ ହେବ ନାହିଁ ।ଅତ୍ୟନ୍ତ ଜରୁରୀ ପରିସ୍ଥିତି ବ୍ୟତୀତ ସୋମବାର କୌଣସି ବୈଠକ ନରଖିବାକୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।ସୋମବାର କେବଳ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାହାର ସମାଧାନ କରିବେ ଅଧିକାରୀ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ନିର୍ଦ୍ଦେଶ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ଶାସନ ସଚିବ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛନ୍ତି ।

 

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଚିଠିରେ ଦର୍ଶାଯାଇଛି ଯେ, ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ସାଧାରଣ ଅଭିଯୋଗ ଶୁଣାଣି ଆୟୋଜିତ ହେଉଛି । ତେବେ ଏହି ଦିନ ମଧ୍ୟ ବିଭିନ୍ନ ବୈଠକ ରଖାଯାଉଥିବାରୁ ଅଧିକାରୀମାନଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟ ପ୍ରଭାବିତ ହେଉଛି । ସରକାରୀ ଅଧିକାରୀମାନେ ବୈଠକର ବାହାନା କରି ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି । ଦୂର ଦୁରାନ୍ତରୁ ନିଜ ସମସ୍ୟା ସମଧାନ କରିବାକୁ ଆସୁଥିବା ସାଧାରଣ ଲୋକ ନିରାଶ ହୋଇ ଫେରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ସୋମବାରକୁ ‘ନୋ ମିଟିଂ ଡେ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

 

ଅତ୍ୟନ୍ତ ଜରୁରୀ କାରଣ ନଥିଲେ ସେହିଦିନ କୌଣସି ପ୍ରକାର ବୈଠକ ନରଖିବାକୁ ସ୍ପଷ୍ଟ ଭାବେ କୁହାଯାଇଛି । ଏହାଦ୍ୱାରା ଉଚ୍ଚ ପଦାଧିକାରୀମାନେ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିପାରିବେ। ସେହିପରି ଏହି ନିର୍ଦ୍ଦେଶକୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପାଳନ କରାଇବାକୁ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ କୁହାଯାଇଛି ।