ପରମ୍ପରା ଓ ଭକ୍ତିର ଜୀବନ୍ତ ପ୍ରବାହ, ଘରେ ଘରେ ପାଳିତ ହେଲା ଭାଗବତ ଜନ୍ମ ଉତ୍ସବ
ବୋଲଗଡ଼, ୨୬/୦୯ (ଉପାନ୍ତ ଖବର):ନମଇଁ ନୃସିଂହ ଚରଣ। ଅନାଦି ପରମ କାରଣ। ସର୍ବ ପୁରାଣ ମଧ୍ୟ ସାର। ଭାଗବତ ଯେ ନାମ ତାର। ଏହା କେବଳ ଏକ ଧାର୍ମିକ ତିଥି ନୁହେଁ, ଏହା ଓଡ଼ିଆ ଜାତିର ଅସ୍ମିତା, ପରମ୍ପରା ଓ ଭକ୍ତିର ଏକ ଜୀବନ୍ତ ପ୍ରବାହ। ପବିତ୍ର ଭାଗବତ ଜନ୍ମ ଉତ୍ସବ ଅବସରରେ ଓଡ଼ିଆ ମାଟିରେ ଆଜି ବି ସେହି ପୁରାତନ ମହକ ବଜାୟ ରହିଛି। ପୁର ପଲ୍ଲୀରୁ ନେଇ ଗାଁର ଭାଗବତ ଟୁଙ୍ଗୀ ପର୍ଯ୍ୟନ୍ତ ଯୁଆଡେ ଦେଖିବ କେବଳ ଭକ୍ତିର ଜୁଆର। ସକାଳର କୋମଳ କିରଣରେ ଶଙ୍ଖ ଧ୍ୱନି, ଧୂପ, ଦୀପ, ନୈବେଦ୍ୟରେ ସଜ୍ଜିତ ହୋଇଥିଲା ପ୍ରତି ମନ୍ଦିର ପ୍ରାଙ୍ଗଣ। ଭାଗବତ ବହିକୁ ନୂଆ ବସ୍ତ୍ର ପିନ୍ଧାଇ, ଚନ୍ଦନ ଲଗାଇ ଭକ୍ତମାନେ ପୂଜାର୍ଚ୍ଚନା କରିଥିଲେ। ଦିନ ଢଳି ସନ୍ଧ୍ୟା ହେବା ମାତ୍ରେ ଭାଗବତ ଟୁଙ୍ଗୀ ଗୁଡ଼ିକ ଉଜ୍ଜୀବିତ ହୋଇ ଉଠିଥିଲା। ମୃଦଙ୍ଗ, କରତାଳର ତାଳେ ତାଳେ ‘ହରିବୋଲ-ହୁଳହୁଳି’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଗାଁ ଦାଣ୍ଡ। ବର୍ଷ ବର୍ଷ ଧରି ପାଳି କରି ଆସୁଥିବା ପୁରୁଣା ପାଳିଆମାନଙ୍କ କଣ୍ଠରୁ ଝରି ପଡୁଥିଲା ଅତୁଳ ଭାଗବତ ବାଣୀ – “ଶୁଣ ସୁଜନେ ଭାଗବତ…” କେବଳ ଟୁଙ୍ଗୀ ନୁହେଁ, ସହରର ଅଟ୍ଟାଳିକାଠାରୁ ନେଇ ଗାଁର ମାଟି ଘର ପର୍ଯ୍ୟନ୍ତ, ପ୍ରତି ଘରେ ଘରେ ଶ୍ରଦ୍ଧାଳୁମାନେ ଦୀପ ଜାଳି ଭାଗବତ ପାଠ କରିଥିଲେ। ଏହି ଦୃଶ୍ୟ ପ୍ରମାଣ କରୁଥିଲା – ଆଧୁନିକତାର ଡିଜିଟାଲ ଯୁଗରେ ବି ଓଡ଼ିଆର ଭାଗବତ ପରମ୍ପରା ଆଜି ମଧ୍ୟ ଅମର, ଅକ୍ଷୁଣ୍ଣ। ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଜୀବନ୍ତ ରଖିବାରେ ଭାଗବତ ଟୁଙ୍ଗୀ ଗୁଡ଼ିକର ଭୂମିକା ଆଜି ବି ଅନନ୍ୟ। ଜୀବନର ଶେଷ ମୁହୂର୍ତ୍ତରେ କାନକୁ ଦୁଇପଦ ଓଡ଼ିଆ ଭାଗବତ ଆଉ ତୁଣ୍ଡକୁ ଦୁଇ ଗୋଟି ନିର୍ମାଲ୍ୟ – ପ୍ରତ୍ୟେକ ଓଡ଼ିଆର ଏହା ହିଁ ଶେଷ ଆଶା।
ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ
