September 26, 2026

ନୂଆଦିଲ୍ଲୀରେ ‘ଅନ୍ତୋଦୟ ମିତ୍ର ସମ୍ମାନ-୨୦୨୬’ ପାଇଲେ ସମ୍ବଲପୁରର ସୌମ୍ୟରଞ୍ଜନ ସମାଜସେବା ପାଇଁ ସମ୍ମାନିତ ହେଲେ ପଡ଼ିଆବାହାଲର ଯୁବ ପ୍ରତିଭା

IMG-20260926-WA0051
Share

 

 

ସମ୍ବଲପୁର, ୨୬. ୦୯: ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ଅଞ୍ଚଳର ଯୁବ ସମାଜସେବୀ ସୌମ୍ୟରଞ୍ଜନ ବଡ଼ପଣ୍ଡାଙ୍କୁ ‘ଅନ୍ତୋଦୟ ମିତ୍ର ସମ୍ମାନ-୨୦୨୬’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଦ ଥିଙ୍କର୍ସ ଗ୍ରୁପ୍ ଓ ଅନ୍ତୋଦୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

 

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଅନ୍ତ୍ୟୋଦୟର ମୂଳ ଚିନ୍ତାଧାରାକୁ ଜନସେବା, ସମାଜ କଲ୍ୟାଣ ଓ ସମାବେଶୀ ବିକାଶ କ୍ଷେତ୍ରରେ କାର୍ଯ୍ୟରେ ପରିଣତ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣା, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସମାଜସେବୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି।

 

ସୌମ୍ୟରଞ୍ଜନ ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ଅନ୍ତର୍ଗତ ଖଲିଆପାଲି ଗ୍ରାମର ବିଶ୍ୱରଞ୍ଜନ ବଡ଼ପଣ୍ଡା ଓ କଲ୍ୟାଣୀ ବଡ଼ପଣ୍ଡାଙ୍କ ବଡ଼ପୁଅ। ବର୍ତ୍ତମାନ ସେ ନୂଆଦିଲ୍ଲୀସ୍ଥିତ ଶ୍ରୀଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସାହିତ୍ୟ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଆଧାରିତ ‘ନରେନ୍ଦ୍ରାରୋହଣ ମହାକାବ୍ୟ’ ଉପରେ ଗବେଷଣା କରୁଛନ୍ତି।ଛାତ୍ରଜୀବନରୁ ହିଁ ସୌମ୍ୟରଞ୍ଜନ ସମାଜସେବା ସହ ଜଡ଼ିତ ରହିଛନ୍ତି। ୨୦୨୨ ମସିହାରୁ ଦିଲ୍ଲୀରେ ବିଭିନ୍ନ ସଂଗଠନ ସହିତ ଏବଂ ବ୍ୟକ୍ତିଗତ ଭାବେ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ରହିଆସିଛନ୍ତି। ଛାତ୍ର ସମାଜର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ସେ ସକ୍ରିୟ ଭୂମିକା ନେଇଆସିଛନ୍ତି।

୨୦୨୪ ମସିହାରେ ଶ୍ରୀଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ର ପରିଷଦ ନିର୍ବାଚନରେ ସେ ପ୍ରଥମ ଓଡ଼ିଆ ଭାବେ କାଉନସିଲର ପଦରେ ନିର୍ବାଚିତ ହୋଇଥିଲେ। ଏହାସହ ଦିଲ୍ଲୀ ଏମ୍ସ, ମ୍ୟାକ୍ସ ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ପାଇଁ ଓଡ଼ିଶାରୁ ଯାଉଥିବା ରୋଗୀଙ୍କୁ ସହଯୋଗ କରିବା ସହ ରକ୍ତ ଓ ପ୍ଲେଟଲେଟ୍‌ ଦାନ କରିଆସୁଛନ୍ତି। ତାଙ୍କ ଅନୁସାରେ, ଏପର୍ଯ୍ୟନ୍ତ ସେ ୧୮ ୟୁନିଟ୍‌ ରକ୍ତ ଓ ୪ ୟୁନିଟ୍‌ ପ୍ଲେଟଲେଟ୍‌ ଦାନ କରିଛନ୍ତି।ସମାଜସେବା ପ୍ରତି ତାଙ୍କର ଅଙ୍ଗୀକାରର ଆଉ ଏକ ଉଦାହରଣ ହେଉଛି ଅଙ୍ଗଦାନ ପାଇଁ ତାଙ୍କ ପଞ୍ଜୀକରଣ। ମୃତ୍ୟୁ ପରେ ନିଜ ଶରୀରର ଅଙ୍ଗଦାନ କରିବା ପାଇଁ ସେ ‘ସକ୍ଷମ’ ଦିଲ୍ଲୀରେ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

 

ସମ୍ମାନ ଗ୍ରହଣ କରି ସୌମ୍ୟରଞ୍ଜନ କହିଛନ୍ତି, “ଏହି ସମ୍ମାନ ମୋ ପାଇଁ ନୁହେଁ, ମୋର ମାତୃଭୂମି ପାଇଁ। ଜୀବନ ଥିବା ପର୍ଯ୍ୟନ୍ତ ମୁଁ ସମାଜ ପାଇଁ କାମ କରିବି।” ଏହି ସମ୍ମାନକୁ ସେ ନିଜ ଅଞ୍ଚଳ ଓ ମାଟିର ଅବଦାନ ଭାବେ ଉତ୍ସର୍ଗ କରିଛନ୍ତି।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ମନୋଜ ତିୱାରୀ, ପଶ୍ଚିମବଙ୍ଗର ଗୋସାବା ବିଧାୟକ ବିକରଣ ନସ୍କର, ଦିଲ୍ଲୀ ଓଡ଼ିଆ ଆସୋସିଏସନ୍‌ର ସଭାପତି ରବୀନ୍ଦ୍ରନାଥ ପ୍ରଧାନ, ପଶ୍ଚିମବଙ୍ଗର ବରିଷ୍ଠ ରାଜନୈତିକ ନେତା ଡ. ବିଶ୍ୱପ୍ରିୟ ରାୟ ଚୌଧୁରୀ, ଟିମ୍‌ ଅନ୍ତ୍ୟୋଦୟର ଅଧ୍ୟକ୍ଷ ସୁଶାନ୍ତ ମହାନ୍ତି ଏବଂ ଦ ଥିଙ୍କର୍ସ ଗ୍ରୁପ୍‌ର ଗ୍ରୁପ୍‌ ଅଧ୍ୟକ୍ଷ ତଥା ଜାତୀୟ ରଣନୀତି ବିଶେଷଜ୍ଞ ସ୍ନିଗ୍ଧା ଶ୍ରୀ ମିଶ୍ରଙ୍କ ସମେତ ବହୁ ଅତିଥି ଓ ସମାଜସେବୀ ଉପସ୍ଥିତ ଥିଲେ।

ସୌମ୍ୟରଞ୍ଜନଙ୍କ ଏହି ସମ୍ମାନ ପାଇଁ ସମ୍ବଲପୁରର ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ସମ୍ବଲପୁରର ବିଶିଷ୍ଟ ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ ମଧ୍ୟ ସୌମ୍ୟରଞ୍ଜନଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।