ନେଟଙ୍ଗାରେ ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳିତ;୩୦ରୁ ଊର୍ଦ୍ଧ୍ୱ ପ୍ରତିଭାବାନ ବ୍ୟକ୍ତି ସମ୍ବର୍ଦ୍ଧିତ. ….
ବେଲଗୁଣ୍ଠା, ୧୮/୧୧: ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ନେଟଙ୍ଗାସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ସ୍ୱାମୀ ପୀଠ ପରିସରରେ କରାଗାଡ଼ିଆ କଳକୀରାମ କ୍ଷେତ୍ର ଯନ୍ତ୍ରୀକରଣ ସମବାୟ ସମିତି ଲିମିଟେଡ୍ ପକ୍ଷରୁ ପବିତ୍ର ଗୋଷ୍ଠାଷ୍ଟମୀ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୋବର୍ଦ୍ଧନ ଉତ୍ସବ ସହ କୃଷି ଓ ଗୋପାଳନ ସମ୍ପର୍କିତ ଆଲୋଚନା ସଭା ଆୟୋଜିତ ହୋଇଥିଲା।ସମବାୟ ସମିତିର ସଭାପତି ଶିଶିର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡା. ସୁତନୁ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ସେ ଚାଷୀମାନଙ୍କୁ ଉନ୍ନତମାନର କୃଷି ପଦ୍ଧତି ଓ ବୈଜ୍ଞାନିକ ଉପାୟରେ ଗୋପାଳନ ସମ୍ପର୍କରେ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ କୃଷି ବିଜ୍ଞାନ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ ଡା. ସିଦ୍ଧାର୍ଥ ରଣବିଜୁଳି, ସ୍ୱତନ୍ତ୍ର ଅତିଥି ଭାବେ ଭଞ୍ଜନଗର ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଇତିଶ୍ରୀ ପ୍ରିୟଦର୍ଶିନୀ ଏବଂ ସମ୍ମାନିତ ଅତିଥି ଭାବେ ବୃନ୍ଦା ଜଳସେଚନ ବିଭାଗର ମ୍ୟାନେଜର ସୁନିଲ କୁମାର ଦୋରା ଓ ଗାଙ୍ଗପୁର ପ୍ରାଣୀ ଚିକିତ୍ସକ ଡା. ଅବିନାଶ ସାହୁ ଯୋଗଦେଇ ଗୋଷ୍ଠାଷ୍ଟମୀର ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପ୍ରତିଭାବାନ ଓ ଖ୍ୟାତନାମା ବ୍ୟକ୍ତିତ୍ୱଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଉମାଚରଣ ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମବାୟ ସମିତିର ନିର୍ଦ୍ଦେଶକ ନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ମହୋତ୍ସବର ସଫଳ ଆୟୋଜନରେ ନେଟଙ୍ଗା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ସ୍ୱାମୀ କଲ୍ୟାଣ ପରିଷଦ ଓ ବିଶ୍ୱଭାରତୀ କୃଷକ କଲ୍ୟାଣ ବାହିନୀ ପୂର୍ଣ୍ଣ ସହଯୋଗ କରିଥିଲେ।
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
