ବୁଗୁଡ଼ା ପାଲଟିଛି ବାଲି ମାଫିଆଙ୍କ ପ୍ରବେଶ ଦ୍ୱାର, ଖଣି ଓ ତହସିଲ ପ୍ରଶାସନ ସାଜିଛି ଧୃତରାଷ୍ଟ୍ର , ପୋଲିସ ପଞ୍ଝାରେ ୫ଟି ବାଲି ବୋଝେଇ ହାଇୱା
ବୁଗୁଡ଼ା : ତା ୧୮/୧୧/୨୬ : ସମ୍ପ୍ରତି ସରକାରୀ ବ୍ଯବସ୍ଥାର ଗଳାବାଟ ଦେଇ ଅବାଧରେ ମାତିଛନ୍ତି ବାଲି ମାଫିଆ l ବୁଗୁଡ଼ା ଏହାର ପ୍ରବେଶ ଦ୍ୱାର ପାଲଟିଛି । ପ୍ରତିଦିନ ରାତିରେ ଶହ ଶହ ଗାଡି ବାଲି ଚୋରା ଚାଲାଣ ହେଉଛି l ମହାନଦୀ ବାଲି ବୁଗୁଡ଼ା ଦେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଛି l ଏସବୁ ଜାଣି ମଧ୍ୟ ବୁଗୁଡ଼ା ତହସିଲ ପ୍ରଶାସନ ହାତଗୁଞ୍ଜା ନେଇ ଧୃତରାଷ୍ଟ୍ର ସାଜିଥିବା ଅଭିଯୋଗ ହୋଇଆସୁଥିବା ବେଳେ ପୋଲିସ ପଞ୍ଝାରେ ଗୋଟିଏ ରାତିରେ ୫ଟି ହାଇୱା ପଡିବା ପରେ ତହସିଲଦାର ଓ ମାଇନିଂ ଅଧିକାରୀଙ୍କ ପାରିବାପଣିଆ ପଦାରେ ପଡିଯାଇଛି l ନୟାଗଡ କଣ୍ଟିଲୋ ଡଙ୍କାରୀସ୍ଥିତ ମହାନଦୀ ଘାଟରୁ ବାଲି ନେଇ ବୁଗୁଡ଼ା ଦେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଉଥିବାବେଳେ ୫ଟି ବାଲି ବୋଝେଇ ହାଇୱାକୁ ବୁଗୁଡ଼ା ପୋଲିସ ଜବତ କରିଥିବା ଜଣାପଡିଛି l ବୁଗୁଡ଼ା ପୋଲିସ ଟିମ୍ ମଙ୍ଗଳବାର ରାତିରେ ପେଟ୍ରୋଲିଂ କରୁଥିବା ବେଳେ କରସିଂ ଛକଠାରେ ଉକ୍ତ ଗାଡିଗୁଡିକୁ ଅଟକାଇ ଯାଞ୍ଚବେଳେ କୌଣସି କାଗଜପତ୍ର ନଥିବା ଜାଣି ଗାଡିଗୁଡିକୁ ଜବତ କରିବା ସହ ଗାଡି ଚାଳକ ଓଡ଼ଗାଁ ଥାନା ମହୁଲିଆ ଦୀପକ ଦାଶ(୨୭) , ଓଡ଼ଗାଁର ବଳରାମ ସେଠୀ , ଶରଣକୂଳ ଥାନା ଅନ୍ତର୍ଗତ ପଞ୍ଚରିଡା ମାନପୁର ଗ୍ରାମର ବଳରାମ ପ୍ରଧାନ(୨୬), ଶରଣକୂଳ ଥାନା ଶିଖରପୁର ଗାଁର ଗଙ୍ଗାଧର ପ୍ରଧାନ(୪୦), ଶରଣକୂଳ ଥାନା କଟରାଝରି ଗ୍ରାମର ପ୍ରଫୁଲ୍ଲ କୁମାର ସ୍ୱାଇଁ (୪୧) l ଗତରାତ୍ରିରେ ବାଲି ଚୋରା ଚାଲାଣ ହେଉଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶରେ ଏଏସଆଇ ପ୍ରିୟ ରଞ୍ଜନ ମିଶ୍ର ପେଟ୍ରୋଲିଂ କରୁଥିବାବେଳେ ପୋଲିସକୁ ଦେଖି ଗାଡି ବୁଲାଇ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଟିମ ୫ଟି ହାଇୱାକୁ ଗୋଡାଇ ଗୋଡାଇ ଧରିଥିଲେ l ଖବର ପାଇ ଆହୁରି ଅନେକ ଗାଡି ଅଧାରାସ୍ତାରୁ ଫେରି ପଳାଇଥିବା ପୋଲିସ କହିଛି l ଏ ନେଇ ପୋଲିସ ଥାନାରେ କେସ୍ ନଂ ୫୭୦ରୁ ୫୭୪ ପର୍ଯ୍ୟନ୍ତ ୫ଟି ମାମଲା ରୁଜୁ ହୋଇଥିବାବେଳେ ଏଏସଆଇ ସୁମନ୍ତ ବେହେରା, ଏସଆଇ ଅଜୟ ମଲିକ, ଏଏସଆଇ ଉପେନ୍ଦ୍ର କ୍ରାସ୍କା,ଏଏସଆଇ ଅନୁ ମଲିକ, ଏସଆଇ ଜ୍ୟୋତିଶ୍ରୀ ସାହୁ ପ୍ରମୁଖ ତଦନ୍ତ ଦାୟିତ୍ୱ ନେଇଥିବା ଜଣାଯାଇଛି।
