ମାଲକାନଗିରିରେ ଜନଗଣନା ୨୦୨୭ (ଦ୍ୱିତୀୟ ପର୍ଯ୍ୟାୟ) ପାଇଁ ଦୁଇଦିନିଆ ତାଲିମ ଶିବିର ଉଦ୍ଯାପିତ; ଶତପ୍ରତିଶତ ନିର୍ଭୁଲ ତଥ୍ୟ ସଂଗ୍ରହ ଉପରେ ପ୍ରଶାସନର ଗୁରୁତ୍ୱ
**ମାଲକାନଗିରି (ତା. ୧୮.୧୧.୨୦୨୬):*ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜନଗଣନା ନିର୍ଦ୍ଦେଶାଳୟଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାଲକାନଗିରି ଜିଲ୍ଲା ଜିଲ୍ଲାପାଳ ତଥା ପ୍ରିନ୍ସିପାଲ ଜନଗଣନା ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ତତ୍ତ୍ୱାବଧାନରେ ଆଗାମୀ ଜନଗଣନା ୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଜନସଂଖ୍ୟା ଗଣନା କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ଏବଂ ଚାର୍ଜ ସ୍ତରୀୟ ଅଧିକାରୀମାନଙ୍କ ପାଇଁ ଆୟୋଜିତ ଦୁଇଦିନିଆ ତାଲିମ ଶିବିର ଆଜି ମାଲକାନଗିରି ଜିଲ୍ଲା ପରିଷଦ ସ୍ଥିତ ଡି.ପି.ଆର୍.ସି ତାଲିମ ହଲ୍ଠାରେ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ହେବାକୁ ଥିବା ଜନସଂଖ୍ୟା ଗଣନା ପ୍ରକ୍ରିୟାକୁ ଅତ୍ୟନ୍ତ ଶୃଙ୍ଖଳିତ, ପାରଦର୍ଶୀ ଏବଂ ତ୍ରୁଟିଶୂନ୍ୟ କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ଜିଲ୍ଲା ଜନଗଣନା ଅଧିକାରୀ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିରରେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ (ଡି.ପି.ଏମ୍.ୟୁ) ଉପ-ନିର୍ଦ୍ଦେଶକ ପରମେଶ୍ୱର ରାଉତ, ଜିଲ୍ଲା ଜନଗଣନା ନୋଡାଲ ଅଧିକାରୀ ମୁନା ତୁରୁକ୍, ଏନ୍.ଆଇ.ସି ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ରଜନୀଶକାନ୍ତ ପାଣ୍ଡେ, ଏବଂ ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଜନଗଣନା କାର୍ଯ୍ୟକ୍ରମର ପ୍ରଶାସନିକ ଓ ବୈଷୟିକ ଦିଗ ଉପରେ ଆଲୋଚନା କରିଥିଲେ। ଏହା ସହିତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚାର୍ଜ ଅଧିକାରୀ ଏବଂ ଜନଗଣନା ବିଭାଗର ସମସ୍ତ କର୍ମଚାରୀମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ଅଧିକାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଜନଗଣନା ହେଉଛି ଦେଶ ତଥା ରାଜ୍ୟର ସାମଗ୍ରିକ ବିକାଶମୂଳକ ଯୋଜନା ପ୍ରସ୍ତୁତିର ମୂଳ ଆଧାର। ଜିଲ୍ଲାର ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ସଠିକ୍ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଆମ ସମସ୍ତଙ୍କର ସବୁଠାରୁ ବଡ଼ ଗୁରୁଦାୟିତ୍ୱ। କୌଣସି ଜଣେ ବି ଯୋଗ୍ୟ ନାଗରିକ ଯେପରି ଏହି ଗଣନାରୁ ବାଦ୍ ନ ପଡ଼ନ୍ତି, ସେଥିପ୍ରତି ସମସ୍ତ ଚାର୍ଜ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନେ ଅତ୍ୟନ୍ତ ନିଷ୍ଠା, ସତର୍କତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ। ସେହିପରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିଜ ବକ୍ତବ୍ୟରେ କହିଥିଲେ ଯେ ମାଲକାନଗିରି ଭଳି ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ତଥା ଦୁର୍ଗମ ଅଞ୍ଚଳ ବହୁଳ ଜିଲ୍ଲାରେ ଶତପ୍ରତିଶତ ନିର୍ଭୁଲ ଜନଗଣନା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସଠିକ୍ ଯୋଜନାର ଆବଶ୍ୟକତା ରହିଛି। ଏହି ଦୁଇଦିନିଆ ତାଲିମ ଶିବିରରୁ ମିଳିଥିବା ବୈଷୟିକ ଜ୍ଞାନକୌଶଳ ଏବଂ ମାର୍ଗଦର୍ଶିକା ଆଗାମୀ ଦିନରେ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ପ୍ରଗଣକ ଓ ପର୍ଯ୍ୟବେକ୍ଷକମାନଙ୍କୁ ସଠିକ୍ ଦିଗଦର୍ଶନ ଦେବାରେ ବେଶ୍ ସହାୟକ ହେବ।ତାଲିମ ଶିବିରରେ ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ଜୟକୃଷ୍ଣ ଭୋଇ ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇ ଜନସଂଖ୍ୟା ଗଣନାର ବିଭିନ୍ନ ବୈଷୟିକ ଦିଗ, ପ୍ରଶ୍ନାବଳୀ ପୂରଣ ପ୍ରଣାଳୀ, ମୋବାଇଲ୍ ଆପ୍ଲିକେସନ୍ ଓ ଡିଜିଟାଲ୍ ତଥ୍ୟ ପରିଚାଳନା, ଏବଂ କ୍ଷେତ୍ର ସ୍ତରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ଉପସ୍ଥିତ ସମସ୍ତ ଚାର୍ଜ ଅଧିକାରୀମାନଙ୍କର ବିଭିନ୍ନ ସନ୍ଦେହ ଓ ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ଦେଇଥିଲେ।ଜିଲ୍ଲା ଜନଗଣନା ଦାୟିତ୍ୱରେ ଥିବା ଅକ୍ଷୟ ମୁଦ୍ଗଲ୍ ଏହି ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମର ସୁପରିଚାଳନା ଓ ସମନ୍ୱୟ ରକ୍ଷା କରିଥିଲେ। ପରିଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜନଗଣନା ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
